ଭୁବନେଶ୍ୱର : ୟୁଏଇ ଗସ୍ତ ଶେଷ କରି ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ୫ ଦିନିଆ ଗସ୍ତ ଶେଷ କରି ଭୁବନେଶ୍ୱରରେ ପହଞ୍ଚିବା ପରେ ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ପହଞ୍ଚିବା ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଏହି ନିବେଶକ ସମ୍ମିଳନୀରେ '୫୨ଟି ବିଜନେସ୍ ମିଟ୍ ଓ ୬ଟି ରାଉଣ୍ଡ ଟେବୁଲ୍ ବୈଠକ ହୋଇଛି । ଗଲ୍ଫ ଦେଶଗୁଡ଼ିକରୁ ମଧ୍ୟ ନିବେଶକାରୀମାନେ ଆସିଥିଲେ । ସମସ୍ତଙ୍କୁ ମିଶାଇ ପ୍ରାୟ ୪୦୦ ଜଣ ଶିଳ୍ପ କ୍ଷେତ୍ରର ପ୍ରତିନିଧି ଏଥିରେ ଯୋଗ ଦେଇଥିଲେ । ଏହାଦ୍ୱାରା ୨ ଲକ୍ଷ ୪୩ ହଜାର ୧୭୨ କୋଟି ଟଙ୍କାର ନିବେଶ ପାଇଁ ବାଟ ଖୋଲିଛି । ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରାୟ ୮ ଲକ୍ଷରୁ ଅଧିକ ନିଯୁକ୍ତି ଓଡିଶାରେ ସୃଷ୍ଟି ହେବ । ଏହା ଏକ ଲ୍ୟାଣ୍ଡମାର୍କରେ ପରିଣତ ହୋଇଛି । ଏବେ ଆମେ ସାଢ଼େ ୨୨ ଲକ୍ଷ କୋଟି ଟଙ୍କାର ନିବେଶକୁ ଛୁଇଁପାରିଛୁ । ଆଇଏଚ୍ସିର ପରିଚାଳନା ନିର୍ଦ୍ଦେଶକଙ୍କ ସହ ଆଲୋଚନା ହୋଇଛି । ଆଦାନୀ ଗ୍ରୁପ୍ ସହ ମଧ୍ୟ ଆଲୋଚନା ହୋଇଛି । ଓଡ଼ିଶାରେ ସ୍ୱାକ୍ଷରିତ ହୋଇଥିବା ନୂଆ ପ୍ରକଳ୍ପଗୁଡ଼ିକ ବାବଦରେ ମଧ୍ୟ ଆଲୋଚନା ହୋଇଛି । ରାୟଗଡ଼ା ଓ ସମ୍ବଲପୁର ଅଞ୍ଚଳରେ ଇଣ୍ଟିଗ୍ରେଟେଡ୍ ଆଲୁମିନିୟମ୍ ଶିଳ୍ପ ପ୍ରତିଷ୍ଠା ପାଇଁ ମଧ୍ୟ ଆଲୋଚନା ହୋଇଛି।ଓଡ଼ିଶାକୁ ଅଧିକ ନିବେଶ ଆଣିବା ସହ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଆମର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।