ଭୁବନେଶ୍ୱର : ଆଉ ମାତ୍ର ଦୁଇ ଦିନ ପରେ ପାଳନ ହେବ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ପଶ୍ଚିମ ଓଡ଼ିଶାର ଗଣପର୍ବକୁ ନେଇ ସବୁଠି ଉତ୍ସବମୁଖର ପରିବେଶ। ଗାଁଠୁ ସହର ନୂଆଁଖାଇ ପାଇଁ ଏବେ ଚଳଚଞ୍ଚଳ। ଚଳିତ ବର୍ଷ ଭଲ ବର୍ଷା ହୋଇଥିବାରୁ ନୂଆଁଖାଇକୁ ବେଶ୍ ଧୁମଧାମରେ ପାଳନ କରିବାକୁ ଲାଗିପଡ଼ିଛନ୍ତି ପୂରା ପଶ୍ଚିମ ଓଡ଼ିଶାବାସୀ। କଳାହାଣ୍ଡିରୁ ଧର୍ମଗଡ଼, ସମ୍ବଲପୁରର କୁଚିଣ୍ଡାଠାରୁ ଆରମ୍ଭ କରି ସୁନ୍ଦରଗଡ଼ ପର୍ୟ୍ୟନ୍ତ,ବରଗଡ ଠାରୁ ବଲାଙ୍ଗୀର ସବୁଠି ନୂଆଁଖାଇ ପାଳିବାକୁ ଉତ୍ସାହ ଦେଖାଦେଇଛି । ନୂଆ ଧାନ ସାଙ୍ଗକୁ ସବୁକିଛି ନୂଆ କିଣିବାରେ ଲାଗିପଡ଼ିଛନ୍ତି ଲୋକେ। ପର୍ବ ଯେତିକି ପାଖେଇ ଆସୁଛି, ସେତିକି ଚଳଚଞ୍ଚଳ ହୋଇଉଠୁଛି ଦୋକାନ ବଜାର। ନୂଆ ପୋଷାକଠାରୁ ଆରମ୍ଭ କରି ଘରୋଇ ସାମଗ୍ରୀ କିଣାକିଣି ପାଇଁ ବଜାରରେ ଲାଗୁଛି ଗ୍ରାହକଙ୍କ ଭିଡ଼। ନୂଆଖାଇ ପରମ୍ପରା ନୂଆଖାଇ କେବଳ ଏକ ପର୍ବ ନୁହେଁ, ଏହା ପଶ୍ଚିମ ଓଡ଼ିଶାର ପରମ୍ପରା ଓ ଭାଇଚାରାର ପ୍ରତୀକ ଅଟେ ।
ପରମ୍ପରା ଏବଂ ବିଧି ଅନୁଯାୟୀ ନୂଆଖାଇ ଦିନ ମାଟି ପାତ୍ରରେ ନୂଆ ଚାଉଳରେ ବିଭିନ୍ନ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ ହୁଏ। ପ୍ରଥମେ ନିଜ ଇଷ୍ଟଦେବଙ୍କୁ ନୈବେଦ୍ୟ ଅର୍ପଣ କରାଯାଏ। ପରେ ପରିବାରର ସମସ୍ତେ ଏକାଠି ବସି ନୂଆ ଖାଇଥାନ୍ତି। ଆଉ ଏହି ପରମ୍ପରାରେ ମାଟିପାତ୍ରର ରହିଛି ଏକ ସ୍ୱତନ୍ତ୍ର ସ୍ଥାନ। ନୂଆଖାଇ ପାଇଁ ମାଟି ହାଣ୍ଡିର ଚାହିଦା ବଢ଼ିଥିବାରୁ ଏବେ ପୁରା କୁମ୍ଭାର ପରିବାର ବ୍ୟସ୍ତ।
ସେହିପରି ତିହାରୀ ହାଟ ବା ନୂଆଁଖାଇ ହାଟରେ ପନିପରିବା ଠାରୁ ଆରମ୍ଭ କରି ନୂଆ ଲୁଗା, ସଜବାଜ ସାମଗ୍ରୀ, ହାଣ୍ଡି, ମାଠିଆ, ନୂଆ ଧାନ, କୁଲା, ପାଚିଆ, ଡାଲା,ଝାଡୁ, ଭୋଗ ରାଗ ଇତ୍ୟାଦି ଭଳିକି ଭଳି ସାମଗ୍ରୀ କିଣିବାରେ ଲୋକମାନେ ଲାଗିପଡ଼ିଛନ୍ତି । ନୂଆଁଖାଇ ପାଇଁ ମଧ୍ଯ ମହିଳାମାନେ ଘରଦ୍ବାର ସଜ କରିବାରେ ଲାଗିପଡ଼ିଲେଣି ।