ଭୁବନେଶ୍ୱର: ଲଘୁଚାପ ଜନିତ ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ଉଦବେଗଜନକ ହୋଇପଡ଼ିଛି। ଶନିବାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଜିଲ୍ଲାର ବନ୍ୟା ସ୍ଥିତି ସମୀକ୍ଷା କରିବା ସହ ପ୍ରଶାସନର ପ୍ରସ୍ତୁତି ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି। ବର୍ତ୍ତମାନ ଜିଲ୍ଲାର ୪ଟି ରାସ୍ତା ଉପରେ ପାଣି ପ୍ରବାହିତ ହେଉଥିବାରୁ ସୁରକ୍ଷା ଦୃଷ୍ଟିରୁ ସେହି ସଡ଼କଗୁଡ଼ିକରେ ଯାତାୟାତ ବନ୍ଦ କରାଯାଇଛି। ଫଳରେ ବିଭିନ୍ନ ସ୍ଥାନରେ ଗାଡ଼ି ଅଟକି ରହିଥିବାବେଳେ ଚାଳକମାନଙ୍କ ପାଇଁ ଖାଦ୍ୟ ଓ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି। ଏହାସହ ସ୍ୱାସ୍ଥ୍ୟ ବିଭାଗର ଟିମ୍କୁ ମଧ୍ୟ ସତର୍କ ରଖାଯାଇଥିବା ଜିଲ୍ଲାପାଳ ମନ୍ତ୍ରୀଙ୍କୁ ସୂଚନା ଦେଇଛନ୍ତି।
ସମୀକ୍ଷା ପରେ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ପ୍ରତିବର୍ଷ ବର୍ଷାଦିନେ ଜଳମଗ୍ନ ହେଉଥିବା ଏହି ୪ଟି ରାସ୍ତାର ଉଚ୍ଚତା ବୃଦ୍ଧି ପାଇଁ ଗତବର୍ଷ ରାଜସ୍ୱ ବିଭାଗ ପକ୍ଷରୁ ଅର୍ଥ ମଞ୍ଜୁର କରାଯାଇଥିଲା। ଆଗାମୀ ମୌସୁମୀ ବର୍ଷାରେ ଯେପରି ଏହି ସମସ୍ୟା ଆଉ ନ ଦେଖାଯାଏ, ସେଥିପାଇଁ ସ୍ଥାୟୀ ପଦକ୍ଷେପ ନିଆଯିବ।
ଅନ୍ୟପକ୍ଷରେ ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ଦିଲୀପ ରାଉତ କହିଛନ୍ତି ଯେ, ଦ୍ୱିତୀୟ ଲଘୁଚାପର ପ୍ରଭାବରେ ମାଲକାନଗିରି ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ରେକର୍ଡ ହୋଇଛି।
ସର୍ବାଧିକ ବର୍ଷା ବାଲିମେଳା ଡ୍ୟାମ୍ ଅଞ୍ଚଳରେ ୨୧୯ ମି.ମି. ରେକର୍ଡ ହୋଇଥିବାବେଳେ ମାଲକାନଗିରି ଓ ଚିତ୍ରକୋଣ୍ଡାରେ ୧୯୨ ମି.ମି. ଏବଂ ଡାବୁଗାଁରେ ୧୩୫ ମି.ମି. ବର୍ଷା ହୋଇଛି। ପ୍ରଶାସନ ପରିସ୍ଥିତି ଉପରେ କଡ଼ା ନଜର ରଖିଥିବାବେଳେ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।