ଭୁବନେଶ୍ୱର/ରାଉରକେଲା: ୫ ଲକ୍ଷ ଟଙ୍କା ସନ୍ଦିଗ୍ଧ ନଗଦ ଜବତ ଘଟଣାରେ ରାଉରକେଲା ଅବକାରୀ ଅଧୀକ୍ଷକ ଧନେଶ୍ୱର ବରାଡ଼ଙ୍କୁ ଶନିବାର ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ। ତଦନ୍ତ ଯେତେ ଆଗକୁ ବଢ଼ୁଛି, ସେତେ ତାଙ୍କର ଅଚଳାଚଳ ସମ୍ପତ୍ତି ଓ ଜମାରାଶିର ତଥ୍ୟ ସାମ୍ନାକୁ ଆସୁଛି। ପ୍ରାଥମିକ ଆକଳନରେ ଜଣାପଡ଼ିଛି ଯେ, ତାଙ୍କ ପାଖରେ ଜଣାଶୁଣା ଆୟଠାରୁ ପ୍ରାୟ ୧୦୦ ପ୍ରତିଶତ ଅଧିକ ସମ୍ପତ୍ତି ରହିଛି।
ଭିଜିଲାନ୍ସ ସୂଚନା ଅନୁସାରେ, ମଦ ଲାଇସେନ୍ସଧାରୀଙ୍କଠାରୁ ବିପୁଳ ଲାଞ୍ଚ ଟଙ୍କା ଆଦାୟ କରାଯାଉଥିବା ଖବର ପାଇବା ପରେ ଧନେଶ୍ୱର ବରାଡ଼ଙ୍କ ଉପରେ ନଜର ରଖାଯାଇଥିଲା। ଶୁକ୍ରବାର ରାତିରେ ଉଦିତନଗରସ୍ଥିତ ଅବକାରୀ କାର୍ଯ୍ୟାଳୟ ସମ୍ମୁଖରେ ଏକ ସ୍କର୍ପିଓକୁ ଅଟକାଇ ଯାଞ୍ଚ କରାଯିବାବେଳେ ଜଣେ ସ୍ଥାନୀୟ ମଦ ଦୋକାନର ସେଲ୍ସମ୍ୟାନ୍ଙ୍କ ଠାରୁ ୫ ଲକ୍ଷ ଟଙ୍କା ନଗଦ ଜବତ ହୋଇଥିଲା।
ପଚରାଉଚରା ବେଳେ ସେଲ୍ସମ୍ୟାନ୍ ଭିଜିଲାନ୍ସକୁ କହିଥିଲେ ଯେ, ଏହି ଟଙ୍କା ଧନେଶ୍ୱର ବରାଡ଼ ତାଙ୍କ ବାସଭବନରେ ପହଞ୍ଚାଇବା ପାଇଁ ଦେଇଥିଲେ। ପରେ ବରାଡ଼ଙ୍କୁ ଜେରା କରାଯାଇଥିଲେ ମଧ୍ୟ ସେ ଟଙ୍କାର ଉତ୍ସ ସମ୍ପର୍କରେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିବା ଭିଜିଲାନ୍ସ କହିଛି।
ଏହାପରେ ରାଉରକେଲା ସିଭିଲ ଟାଉନଶିପ୍ସ୍ଥିତ ବାସଭବନ ଓ ଭୁବନେଶ୍ୱର ରଘୁନାଥପୁରରେ ଥିବା ଦୁଇ ମହଲା କୋଠାରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ତଲାସି ବେଳେ ରଘୁନାଥପୁରରେ ପ୍ରାୟ ୨୭୦୦ ବର୍ଗଫୁଟର ଏକ ଦୁଇ ମହଲା କୋଠା, ଭୁବନେଶ୍ୱରରେ ଗୋଟିଏ ଓ ନୟାଗଡ଼ ଉପକଣ୍ଠରେ ୩ଟି ପ୍ଲଟ, ୩୩.୯୭ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ସହ ଅନ୍ୟାନ୍ୟ ନିବେଶ ସମ୍ପର୍କିତ ଦସ୍ତାବିଜ ଜବତ କରାଯାଇଛି।
ଏହି ଘଟଣାରେ ରାଉରକେଲା ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଧନେଶ୍ୱର ବରାଡ଼ଙ୍କୁ ଗିରଫ ପରେ ସୁନ୍ଦରଗଡ଼ ଭିଜିଲାନ୍ସ ସ୍ପେଶାଲ ଜଜ୍ଙ୍କ ଅଦାଲତରେ ହାଜର କରାଯାଇଥିବାବେଳେ ତାଙ୍କର ଆୟ, ବ୍ୟୟ ଓ ସମ୍ପତ୍ତିର ଅଧିକ ଯାଞ୍ଚ ଜାରି ରହିଛି।