ବଲିଉଡ୍ ଅଭିନେତ୍ରୀ ଅମିଷା ପଟେଲଙ୍କ ମା' ଆଶା ପଟେଲଙ୍କ ମୁମ୍ବାଇସ୍ଥିତ ଘରୁ ଲକ୍ଷାଧିକ ଟଙ୍କାର ଗହଣା ଚୋରି ମାମଲାରେ ପୋଲିସକୁ ବଡ଼ ସଫଳତା ମିଳିଛି। ପୋଲିସ ଚୋରି ଅଭିଯୋଗରେ ତାଙ୍କ ଘରେ କାମ କରୁଥିବା ଜଣେ ମହିଳାଙ୍କୁ ଗିରଫ କରିଛି। ଏହି ବର୍ଷ ଜାନୁଆରୀ ମାସରେ ଦକ୍ଷିଣ ମୁମ୍ବାଇର ଚର୍ଚ୍ଚଗେଟ୍ ସ୍ଥିତ ତାଙ୍କ ଘରୁ ପ୍ରାୟ ୫ ଲକ୍ଷ ଟଙ୍କା ମୂଲ୍ୟର ହୀରା ଓ ସୁନାର କଙ୍ଗନ ଗାୟବ ହୋଇଯାଇଥିଲା। ଏହି ନେଇ ଅମିଷା ପଟେଲଙ୍କ ମା' ପୋଲିସରେ ଅଭିଯୋଗ କରିଥିଲେ।
ଏହି ମାମଲାରେ ମେରାଇନ୍ ଡ୍ରାଇଭ୍ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କ ଘରେ କାମ କରୁଥିବା ୪୦ ବର୍ଷୀୟା ହାଉସ ହେଲ୍ପ ସୀମା ବିନୋଦ ଘାଟେଙ୍କୁ ଗିରଫ କରିଛି। ସୀମା ଗତ ପ୍ରାୟ ଦେଢ଼ ବର୍ଷ ଧରି ଆଶା ପଟେଲଙ୍କ ଘରେ କାମ କରୁଥିଲେ। ଜାନୁଆରୀରେ କଙ୍ଗନ ଗାୟବ ହେବା ପରଠାରୁ ହିଁ ଆଶା ପଟେଲଙ୍କ ସନ୍ଦେହ ସୀମା ଉପରେ ଥିଲା। ତେଣୁ ସେ ୫-୬ ମାସ ଧରି ସୀମାଙ୍କୁ ବୁଝାସୁଝା କରି କଙ୍ଗନ ଫେରାଇଦେବାକୁ କହିଥିଲେ, ମାତ୍ର ସେ ଚୋରି କଥା ସ୍ୱୀକାର ନକରିବାରୁ ଆଶା ପଟେଲ ମେରାଇନ୍ ଡ୍ରାଇଭ୍ ଥାନାରେ ଏଫଆଇଆର୍ (FIR) ରୁଜୁ କରିଥିଲେ।
କୋର୍ଟ ପୋଲିସ ରିମାଣ୍ଡକୁ ପଠାଇଲେ
ପୋଲିସର କ୍ରାଇମ୍ ଡିଟେକ୍ସନ ଟିମ୍ ତଦନ୍ତ ଆଗକୁ ବଢ଼ାଇ ଅଭିଯୁକ୍ତ ସୀମାଙ୍କୁ ଭିରାର୍ ଅଞ୍ଚଳରୁ ହାତକଡ଼ି ଲଗାଇବା ସହ ପଚରାଉଚରା ପରେ ଗିରଫ କରିଛି। ଅଦାଲତରେ ହାଜର କରାଯିବା ପରେ ସୀମାଙ୍କୁ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ପୋଲିସ ରିମାଣ୍ଡରେ ପଠାଇ ଦିଆଯାଇଛି। ତେବେ କଙ୍ଗନ ଏପର୍ଯ୍ୟନ୍ତ ମିଳିନାହିଁ। ପୋଲିସ କଙ୍ଗନ ଉଦ୍ଧାର କରିବା ପାଇଁ ଚେଷ୍ଟା ଚଳାଇବା ସହ ଅଭିଯୁକ୍ତ ସୀମାଙ୍କର କୌଣସି ପୁରୁଣା ଅପରାଧିକ ରେକର୍ଡ ଅଛି କି ନାହିଁ, ତାହା ମଧ୍ୟ ଛାନଭିନ୍ କରୁଛି।
ଅମିଷା ପଟେଲଙ୍କ ପ୍ରୋଫେସନାଲ୍ ଲାଇଫ୍
ଅନ୍ୟପଟେ, ଅମିଷା ପଟେଲଙ୍କ ପ୍ରୋଫେସନାଲ୍ ଲାଇଫ୍ ବିଷୟରେ କହିବାକୁ ଗଲେ, ସେ ଗତ ଦେଢ଼-ଦୁଇ ବର୍ଷରୁ ଅଧିକ ସମୟ ଧରି ବଡ଼ ପରଦାରୁ ଦୂରରେ ଅଛନ୍ତି। ଶେଷ ଥର ପାଇଁ ତାଙ୍କୁ ରୋମାଣ୍ଟିକ-କମେଡି ଫିଲ୍ମ ‘ତୌବା ତେରା ଜଲୱା’ରେ ଦେଖିବାକୁ ମିଳିଥିଲା, ଯାହା ଜାନୁଆରୀ ୨୦୨୪ରେ ମୁକ୍ତିଲାଭ କରିଥିଲା। ତେବେ ଏହି ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍ ସାବ୍ୟସ୍ତ ହୋଇଥିଲା। ତାଙ୍କର ଶେଷ ସଫଳ ଫିଲ୍ମ ଥିଲା ‘ଗଦର ୨’, ଯାହା ୨୦୨୩ରେ ଆସିଥିଲା। ତାଙ୍କ ପ୍ରଶଂସକମାନେ ତାଙ୍କ ଆଗାମୀ ପ୍ରୋଜେକ୍ଟକୁ ଅପେକ୍ଷା କରିଥିଲେ ବି ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ନୂଆ ଫିଲ୍ମ ବିଷୟରେ ସୂଚନା ମିଳିନାହିଁ।