ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ କୃତି ସେନନ୍ଙ୍କୁ ମିଳିଛି କଂଗ୍ରେସ ସାଂସଦ ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦୃଢ଼ ସମର୍ଥନ। ରକ୍ଷାବନ୍ଧନର ଏକ ବିଜ୍ଞାପନକୁ ନେଇ କୃତି ଟ୍ରୋଲ୍ ହେବା ପରେ, ତାଙ୍କ ପୋଷ୍ଟକୁ ରିପୋଷ୍ଟ କରି ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା ରଖିଛନ୍ତି ରାହୁଲ।
ରାହୁଲ ଗାନ୍ଧୀ ଲେଖିଛନ୍ତି ଯେ, ଜଣେ ମହିଳା କ’ଣ ପିନ୍ଧିବେ, କ’ଣ କରିବେ ଏବଂ କେଉଁଆଡ଼େ ଯିବେ, ତାହା ସମ୍ପୂର୍ଣ୍ଣ ଭାବେ ତାଙ୍କର ନିଜସ୍ୱ ପସନ୍ଦ। ନିଜର ସ୍ୱାଧୀନତା ବ୍ୟବହାର କରୁଥିବା ମହିଳାମାନଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ୍ କରିବା ସମ୍ପୂର୍ଣ୍ଣ ବନ୍ଦ ହେବା ଉଚିତ୍।
ବିଜ୍ଞାପନକୁ ନେଇ କାହିଁକି ସୃଷ୍ଟି ହେଲା ବିବାଦ?
ଏକ ଜଣାଶୁଣା ଜୁଏଲେରୀ ବ୍ରାଣ୍ଡ୍ର ରକ୍ଷାବନ୍ଧନ ବିଜ୍ଞାପନରେ କୃତି ସେନନ୍ଙ୍କ ଇଣ୍ଡୋ-ୱେଷ୍ଟର୍ଣ୍ଣ ଆଉଟ୍ଫିଟ୍କୁ ନେଇ ସୋସିଆଲ ମିଡିଆରେ ସମାଲୋଚନା କରାଯାଇଥିଲା। ଏହି ଆଡ୍ରେ ସେ ଷ୍ଟାଇଲ୍ ବ୍ଲାଉଜ୍, ଡ୍ରେପ୍ଡ ସ୍କର୍ଟ ଏବଂ କେପ୍ ପିନ୍ଧିଥିବାର ଦେଖାଯାଇଥିଲା। ଭଲ ପାଇବା ଓ ସଂସ୍କୃତିର ପର୍ବ ରକ୍ଷାବନ୍ଧନ ପାଇଁ ଏପରି ପୋଷାକ ଉପଯୁକ୍ତ ନୁହେଁ ବୋଲି କିଛି ୟୁଜର୍ସ ଦାବି କରିଥିଲେ।
କଙ୍ଗନା ରଣାୱତଙ୍କ ନିଶାଣ
ସୋସିଆଲ ମିଡିଆ ଟ୍ରୋଲିଂ ମଧ୍ୟରେ ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରଣାୱତ ମଧ୍ୟ ପରୋକ୍ଷରେ ଏହି ବିଜ୍ଞାପନ ଉପରେ ପ୍ରଶ୍ନ ଉଠାଇଥିଲେ। ସେ ଲେଖିଥିଲେ ଯେ, ଆଜିର ମହିଳାଙ୍କ ପାଖରେ ଶାଢ଼ୀ, ଲେହେଙ୍ଗାରୁ ଆରମ୍ଭ କରି ଭଳିକି ଭଳି ପୋଷାକର ବିକଳ୍ପ ରହିଛି। ଏପରି ସ୍ଥିତିରେ ନିଜ ଭାଇକୁ ରାକ୍ଷୀ ବାନ୍ଧିବା ସମୟରେ ଅଣ୍ଡରଗାର୍ମେଣ୍ଟସ କିମ୍ବା ବିକିନି ଲୁକ୍ର ଷ୍ଟାଇଲିଂ କରିବା ନିହାତି ଭାବେ ଏକ ଅଜବ ପ୍ରୟାସ।
ଟ୍ରୋଲର୍ସଙ୍କୁ କୃତିଙ୍କ କଡ଼ା ଜବାବ
ସମାଲୋଚନାର ଉତ୍ତର ଦେଇ କୃତି ସେନନ୍ ଇନ୍ଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି ଯେ, "ସଂସ୍କୃତି ଏବଂ ପରମ୍ପରା ମନରେ ଥାଏ, ପୋଷାକର ନେକ୍ଲାଇନ୍ରେ ନୁହେଁ। ମହିଳାମାନେ କ’ଣ ପିନ୍ଧିବେ ତାହା ଅନ୍ୟମାନେ ସ୍ଥିର କରିବା ବନ୍ଦ କରିବା ଦରକାର। ପରମ୍ପରା ଓ ଫ୍ୟାସନ୍ରେ ସମୟ ସହ ପରିବର୍ତ୍ତନ ଆସିଛି, କିନ୍ତୁ ଆଜି ବି ଜଣେ ମହିଳାଙ୍କ ସଂସ୍କୃତି ପ୍ରତି ଥିବା ସମ୍ମାନକୁ କେବଳ ତାଙ୍କ କପଡ଼ାରୁ ମପାଯାଉଛି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ପର୍ବପର୍ବାଣୀର ଅର୍ଥ କେବଳ ପୋଷାକ ନୁହେଁ, ବରଂ ଶ୍ରଦ୍ଧା ଓ ସମ୍ପର୍କର ଭାବନା। ରକ୍ଷାବନ୍ଧନ ସୁରକ୍ଷା ଓ ଭଲପାଇବାର ସଙ୍କେତ। ଏହି ସମ୍ପର୍କ ତାଙ୍କ ପରିବାର ଏବଂ ପୋଷା କୁକୁରମାନଙ୍କ ପର୍ଯ୍ୟନ୍ତ ବି ବ୍ୟାପ୍ତ ବୋଲି ସେ ପ୍ରକାଶ କରିଛନ୍ତି।