ମୁମ୍ବାଇ: ମହାରାଷ୍ଟ୍ର ଖାଦ୍ୟ ଏବଂ ଔଷଧ ପ୍ରଶାସନ (ଏଫଡିଏ ) ବଲିଉଡର ତିନି ଅଭିନେତା ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି । ପାନ ମସଲା ପାଇଁ ବିଜ୍ଞାପନ କରିବା ଅଭିଯୋଗରେ ଏଫଡିଏ ନୋଟିସ୍ ଜାରି କରିଛି । ‘ଇଲାଇଚି’ ପାଇଁ ବିଜ୍ଞାପନ କରିବା ପରୋକ୍ଷରେ ଏକ ନିଷିଦ୍ଧ ପାନ ମସଲା କମ୍ପାନୀ ପାଇଁ ପ୍ରଚାର କରୁଛି ବୋଲି ଅଭିଯୋଗରେ ଦର୍ଶାଯାଇଛି ।
ଏଫଡିଏ ଅଗଷ୍ଟ ୧୪ରେ ତିନି ଅଭିନେତାଙ୍କୁ ନୋଟିସ୍ ଜାରି ହୋଇଛି । ବିଜ୍ଞାପନର ଉପସ୍ଥାପନା, ସଂଳାପ, ବ୍ରାଣ୍ଡ ନାମ ଏବଂ ବଜାର ସନ୍ଦର୍ଭ ଏହା ଏକ ନିଷିଦ୍ଧ ତମାଖୁ ଉତ୍ପାଦର ପରୋକ୍ଷ ପ୍ରଚାର ଅଟେ । ଇଲାଇଚି ବିଜ୍ଞାପନଟି 'ବିମଲ୍' କମ୍ପାନୀର ଅଟେ । ଯାହା ଏକ ଗୁଟଖା କମ୍ପାନୀ ଅଟେ । 'ବିମଲ ଇଲାଇଚି' ପ୍ରକୃତରେ ବଜାରରେ ଉପଲବ୍ଧ ଏକ ସ୍ୱାଧୀନ ଉତ୍ପାଦ ନାଁ ଏହା ପାନ ମସଲା କିମ୍ବା ତମାଖୁ ସମ୍ବନ୍ଧୀୟ ଉତ୍ପାଦର ପ୍ରଚାର ପ୍ରସାର ପାଇଁ ଉଦ୍ଦିଷ୍ଟ ତାହାର ଜବାବ ଦେବାକୁ ଏଫଡିଏ ନୋଟିସରେ ଉଲ୍ଲେଖ କରିଛି । ସେମାନଙ୍କୁ ସେମାନଙ୍କର ଚୁକ୍ତିନାମା, ଅଭିଯାନ ବିବରଣୀ, ଉତ୍ପାଦ ସୂଚନା, ଏବଂ ଦେୟ କିମ୍ବା ଅନୁମୋଦନ ବ୍ୟବସ୍ଥାର କପି ଏବଂ ବିବରଣୀ ପ୍ରଦାନ କରିବାକୁ ନିର୍ଦେଶ ରହିଛି । ତତସହିତ ଏହି ବିଜ୍ଞାପନରେ ଜଡ଼ିତ ବିଜ୍ଞାପନ ସଂସ୍ଥା ଏବଂ ବ୍ରାଣ୍ଡ ମାଲିକଙ୍କ ସମ୍ପର୍କରେ ସୂଚନା ଦେବାକୁ ପଡ଼ିବ।
ନୋଟିସ୍ ଗ୍ରହଣ କରିବା ଦିନଠାରୁ ୧୫ ଦିନ ମଧ୍ୟରେ ଲିଖିତ ଜବାବ ଦେବାକୁ କୁହାଯାଇଛି । ସେମାନେ ବ୍ୟକ୍ତିଗତ ଭାବରେ କିମ୍ବା ସେମାନଙ୍କ ଅଧିକୃତ ପ୍ରତିନିଧିଙ୍କ ମାଧ୍ୟମରେ ବ୍ୟକ୍ତିଗତ ଶୁଣାଣି ପାଇଁ ମଧ୍ୟ ଅନୁରୋଧ କରିପାରିବେ । ଯଦି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କୌଣସି ଉତ୍ତର ନ ମିଳେ, କିମ୍ବା ଯଦି ଉତ୍ତର ସନ୍ତୋଷଜନକ ନ ହୁଏ ତେବେ କୌଣସି ଅତିରିକ୍ତ ନୋଟିସ୍ ବିନା ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇପାରେ।
ଖାଲି ସେତିକି ନୁହେଁ ଏଫଡିଓ ‘ବିମଲ୍ ଇଲାଇଚି’ ବିଜ୍ଞାପନ ପ୍ରସାରିତ ହୋଇଥିବା ଟିଭି ଚ୍ୟାନେଲ, ଡିଜିଟାଲ୍, ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ଅନ୍ୟ ଗଣମାଧ୍ୟମକୁ ବିବରଣୀ ମାଗିଛି । ଏହି ବିଜ୍ଞାପନ କେତେ ସମୟ ପାଇଁ ପ୍ରସାରିତ କିମ୍ବା ପ୍ରକାଶିତ ହୋଇଥିଲା ତାହାର ତଥ୍ୟ ଦେବେ ।
ଖାଦ୍ୟ ସୁରକ୍ଷା ଏବଂ ମାନକ ଆଇନ (FSS ଆଇନ) ୨୦୦୬ ର ଧାରା ୩୦(୨)(କ) ଅନୁଯାୟୀ,ମହାରାଷ୍ଟ୍ରରେ ୨୦୧୨ ରୁ ତମାଖୁ ଏବଂ ନିକୋଟିନ୍ ଯୁକ୍ତ ଗୁଟଖା ଏବଂ ପାନ ମସଲା ଉପରେ ନିଷେଧ ବଳବତ୍ତର ଅଛି ଏବଂ ପ୍ରତିବର୍ଷ ନବୀକରଣ କରାଯାଏ। ୧୩ ଜୁଲାଇ, ୨୦୨୬ ରେ ଏହାକୁ ନବୀକରଣ କରାଯାଇଥିଲା । ସରକାର ପ୍ରତି ବର୍ଷ ଏକ ବର୍ଷ ପାଇଁ ପାନ ମସଲାର ଉତ୍ପାଦନ, ସଂରକ୍ଷଣ, ପରିବହନ ଏବଂ ବିକ୍ରୟ ଉପରେ ସମ୍ପୂର୍ଣ୍ଣ ନିଷେଧ ଜାରି କରିଛନ୍ତି। ଆଇନ ଉଲ୍ଲଂଘନ କଲେ ବିଜ୍ଞାପନ କିମ୍ବା ପ୍ରକାଶନରେ ସମ୍ପୃକ୍ତ ଯେକୌଣସି ସଂସ୍ଥା କିମ୍ବା ବ୍ୟକ୍ତି ଉପରେ ୧୦ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ପ୍ରାବଧାନ ରହିଛି ।