ଚେନ୍ନାଇ: ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଯୋସେଫ ବିଜୟ ଓ ତାଙ୍କ ପତ୍ନୀ ସଙ୍ଗୀତାଙ୍କ ମଧ୍ୟରେ ଛାଡ଼ପତ୍ର ନ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ସଙ୍ଗୀତାଙ୍କ ପକ୍ଷରୁ ଚେଙ୍ଗଲପଟୁ କୋର୍ଟରେ କରାଯାଇଥିବା ଛାଡ଼ପତ୍ର ଆବେଦନକୁ ସେ ନିଜ ଆଡ଼ୁ ପ୍ରତ୍ୟାହାର କରିନେଇଛନ୍ତି । ଶୁକ୍ରବାର ଦିନ ଆବେଦନ ଶୁଣାଣି ପାଇଁ ଆସିବା ସମୟରେ ସଙ୍ଗୀତା ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର ହୋଇ ମାମଲାକୁ ଆଗକୁ ନ ବଢାଇବାକୁ କାରଣ ଦର୍ଶାଇଥିଲେ । ଏହା ପରେ କୋର୍ଟ ମାମଲାର ସମାଧାନ କରିଛନ୍ତି ।
ତାମିଲନାଡ଼ୁ ନିର୍ବାଚନର ମାତ୍ର କେଇଟା ଦିନ ପୂର୍ବରୁ ଫେବୃଆରୀ ୨୦୨୬ରେ, ସଙ୍ଗୀତା ଚେଙ୍ଗଲପଟୁ କୋର୍ଟରେ ବିବାହ ସମାପ୍ତ କରିବାକୁ ଏକ ଛାଡପତ୍ର ଆବେଦନ ଦାଖଲ କରିଥିଲେ। ସ୍ୱାମୀଙ୍କ ପରକୀୟା ପ୍ରୀତି ପାଇଁ ସେ ଛାଡ଼ପତ୍ର ଦେବାକୁ ଚାହୁଁଥିବା କୋର୍ଟଙ୍କୁ କହିଥିଲେ । ୨୦୨୧ ମସିହାରେ ଜାଣିପାରିଥିଲେ ଯେ ବିଜୟ ଓ ଅନ୍ୟ ଜଣେ ଅଭିନେତ୍ରୀଙ୍କ ସହିତ ସମ୍ପର୍କ ଥିବା ସଙ୍ଗୀତା ଦାବି କରିଥିଲେ । ଏହା ପରଠାରୁ ଉଭୟ ଅଲଗା ରହୁଥିବାବେଳେ ବିଜୟ କୌଣସି ଆର୍ଥିକ ସହାୟତା ଦେଉନଥିବା ସେ ଅଭିଯୋଗ କରିଥିଲେ ।
ଏହାରି ମଧ୍ୟରେ ବିଜୟ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଥିଲେ । ଶପଥ ଗ୍ରହଣ ସମାରୋହରେ ବିଜୟଙ୍କ ପରିବାରକୁ ଦେଖିବାକୁ ମିଳିନଥିଲା ।
୧୯୯୮ ମସିହାରେ ବିଜୟ ଏବଂ ସଙ୍ଗୀତାଙ୍କ ବିବାହ ପ୍ରଥମେ ୟୁକେରେ ପଞ୍ଜିକୃତ ହୋଇଥିଲା । ତା’ପରେ ୧୯୯୯ ମସିହାରେ ଚେନ୍ନାଇରେ ଏକ ପାରମ୍ପରିକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି ଯଥା ଜେସନ ସଞ୍ଜୟ ଏବଂ ଦିବ୍ୟା ଶାଶା।