ଭୁବନେଶ୍ୱର/ନୟାଗଡ଼: ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ର ବୋନସ୍ ଟଙ୍କା ଛାଡ଼ କରିବା ନାଁରେ ଲାଞ୍ଚ ନେଉଥିବା ବେଳେ ନୟାଗଡ଼ ଜିଲ୍ଲାର ଜଣେ ଆକାଉଣ୍ଟାଣ୍ଟ-କମ୍-ଡାଟା ଏଣ୍ଟ୍ରି ଅପରେଟର (ADEO) ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଅଭିଯୁକ୍ତ ହେଲେ ରଣପୁର ବ୍ଲକ୍ ଅଧୀନ ରାଜ ଜଙ୍କିଆ ଗ୍ରାମ ପଞ୍ଚାୟତର ADEO ପ୍ରଶାନ୍ତ କୁମାର ଭଟ୍ଟ।
ଭିଜିଲାନ୍ସ ସୂଚନା ଅନୁଯାୟୀ, ପିଏମ୍ ଆବାସ ଯୋଜନାର ଜଣେ ହିତାଧିକାରୀ ୨୦୨୫ ମାର୍ଚ୍ଚ ମାସରେ ନିଜ ଘର ନିର୍ମାଣ କାମ ଶେଷ କରିଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ ଘର କାମ ସମ୍ପୂର୍ଣ୍ଣ କରିଥିବାରୁ ସେ ବୋନସ୍ ଓ ମନରେଗା ମଜୁରି ପାଇବାକୁ ଯୋଗ୍ୟ ଥିଲେ। କିନ୍ତୁ ଏହି ଟଙ୍କା ଛାଡ଼ କରିବା ପାଇଁ ପ୍ରଶାନ୍ତ ଭଟ୍ଟ ବାରମ୍ବାର ଟଙ୍କା ଦାବି କରୁଥିବା ଅଭିଯୋଗ ହୋଇଥିଲା।
ଅଭିଯୋଗ ଅନୁସାରେ, ସେ ପୂର୍ବରୁ ହିତାଧିକାରୀଙ୍କଠାରୁ ୭ ହଜାର ଟଙ୍କା ନେଇଥିଲେ। ତା'ପରେ ମଧ୍ୟ କାମ ନକରି ଆଉ ୪ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏନେଇ ହିତାଧିକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହେବା ପରେ ଅଧିକାରୀମାନେ ଯୋଜନାବଦ୍ଧ ଭାବେ ଫାନ୍ଦ ପକାଇଥିଲେ।
ଶୁକ୍ରବାର ପ୍ରଶାନ୍ତ ଭଟ୍ଟ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ରଙ୍ଗେହାତ ଧରିଥିଲା। ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି।
ଏହାପରେ ଭିଜିଲାନ୍ସ ପକ୍ଷରୁ ପ୍ରଶାନ୍ତ ଭଟ୍ଟଙ୍କ ସହ ସମ୍ପୃକ୍ତ ଦୁଇଟି ସ୍ଥାନରେ ଆୟବହିର୍ଭୂତ ସମ୍ପତ୍ତି ଠାବ କରିବା ଲକ୍ଷ୍ୟରେ ଚଢ଼ାଉ ଜାରି ରହିଛି। ଏହି ଘଟଣାରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଘଟଣାର ଅଧିକ ତଦନ୍ତ ଚାଲିଥିବା ବେଳେ ଚଢ଼ାଉ ପରେ ଆହୁରି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିପାରେ।