ଭୁବନେଶ୍ୱର: ଚଳିତ ଖରିଫ ୨୦୨୬–୨୭ ମୌସୁମୀରେ ଓଡ଼ିଶାରେ ଧାନ ଚାଷ କ୍ଷେତ୍ରଫଳ ପୂର୍ବବର୍ଷ ତୁଳନାରେ ହ୍ରାସ ପାଇଛି। ସେପ୍ଟେମ୍ବର ୧୯ ସୁଦ୍ଧା ରାଜ୍ୟରେ ୩୬.୧୮ ଲକ୍ଷ ହେକ୍ଟର ଜମିରେ ଧାନ ଚାଷ ହୋଇଥିବା ବେଳେ, ଏହା ପ୍ରଥମ ଅଗ୍ରୀମ ଆକଳନ ବୋଲି ବିଧାନସଭାରେ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ।
ବିଧାୟକ ପ୍ରତାପ କେଶରୀ ଦେବଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ କହିଛନ୍ତି, ଜିଲ୍ଲାଭିତ୍ତିକ ପ୍ରାରମ୍ଭିକ ଆକଳନ ଅନୁଯାୟୀ ମୟୂରଭଞ୍ଜ ସର୍ବାଧିକ ୩.୧୫ ଲକ୍ଷ ହେକ୍ଟର ଧାନ ଚାଷ ସହ ଶୀର୍ଷରେ ରହିଛି। ଏହା ପଛକୁ ବରଗଡ଼ (୨.୫୯ ଲକ୍ଷ ହେକ୍ଟର), ଗଞ୍ଜାମ (୨.୧୨ ଲକ୍ଷ), ସୁନ୍ଦରଗଡ଼ (୧.୯୮ ଲକ୍ଷ) ଏବଂ ବଲାଙ୍ଗୀର (୧.୮୬ ଲକ୍ଷ) ରହିଛନ୍ତି।
ତେବେ ପୂର୍ବ ଦୁଇ ବର୍ଷର ତଥ୍ୟ ସହ ତୁଳନା କଲେ ଚଳିତ ବର୍ଷର ଚିତ୍ର ଚିନ୍ତା ବଢ଼ାଇଛି। ୨୦୨୪–୨୫ରେ ୩୭.୪୯ ଲକ୍ଷ ହେକ୍ଟର ଏବଂ ୨୦୨୫–୨୬ରେ ୩୯.୪୨ ଲକ୍ଷ ହେକ୍ଟର ଧାନ ଚାଷ ହୋଇଥିବା ବେଳେ, ଚଳିତ ବର୍ଷ ସେପ୍ଟେମ୍ବର ୧୯ ସୁଦ୍ଧା ୩.୨୪ ଲକ୍ଷ ହେକ୍ଟର କମ୍ ଚାଷ ହୋଇଛି। ହେଲେ ସବୁ ଜିଲ୍ଲାରେ ହ୍ରାସ ଘଟିନାହିଁ। ୭ଟି ଜିଲ୍ଲାରେ ଧାନ ଚାଷ କ୍ଷେତ୍ର ବୃଦ୍ଧି ପାଇଛି। ସେଥିରେ ବରଗଡ଼ ଓ ଖୋର୍ଦ୍ଧାରେ ୦.୧୬ ଲକ୍ଷ ହେକ୍ଟର, ପୁରୀରେ ୦.୧୪ ଲକ୍ଷ, କଟକରେ ୦.୧୩ ଲକ୍ଷ, ନୂଆପଡ଼ାରେ ୦.୦୩ ଲକ୍ଷ ଏବଂ ଜଗତସିଂହପୁର ଓ ନୟାଗଡ଼ରେ ୦.୦୨ ଲକ୍ଷ ହେକ୍ଟର ଲେଖାଏଁ ବୃଦ୍ଧି ରେକର୍ଡ ହୋଇଛି।
କୃଷିମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଏହି ତଥ୍ୟ ପ୍ରାରମ୍ଭିକ ଅଗ୍ରୀମ ଆକଳନ ମାତ୍ର। ଖରିଫ ମୌସୁମୀ ଶେଷ ହେବା ପରେ ଚୂଡ଼ାନ୍ତ ହିସାବ ପ୍ରକାଶ ପାଇବ ଏବଂ ବାସ୍ତବ ଚାଷ କ୍ଷେତ୍ରଫଳ ଆହୁରି ବଢ଼ିପାରେ।