ଭୁବନେଶ୍ୱର : ଆସନ୍ତା ସେପ୍ଟେମ୍ବର ୨୪ ତାରିଖରେ ହେବାକୁ ଥିବା ଉଚ୍ଚ ପ୍ରାଥମିକପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ୨୦୨୬ କୁ ସ୍ଥଗିତ ରଖାଯାଇଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ପ୍ରଭାବକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଛି।
ବିଭାଗୀୟ ସୂଚନା ଅନୁଯାୟୀ, ବର୍ତ୍ତମାନ ଏହି ବୃତ୍ତି ପରୀକ୍ଷା ଆସନ୍ତା ଅକ୍ଟୋବର ୩ ଦିନ ରାଜ୍ୟର ବିଭିନ୍ନ ନିର୍ଦ୍ଧାରିତ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବ। ଦିନ ୧୦ଟାରୁ ୧୨ଟା ଯାଏଁ ହେବ ପରୀକ୍ଷା । କୁନି କୁନି ଛାତ୍ରଛାତ୍ରୀମାନଙ୍କ ନିରାପତ୍ତାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ କାରଣରୁ ଉପକୂଳ ଓ ଦକ୍ଷିଣ ଓଡ଼ିଶା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି।
ଅନ୍ୟପକ୍ଷେ ପରୀକ୍ଷାର୍ଥୀ, ଅଭିଭାବକ ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷ ନୂତନ ଆଡମିଟ୍ କାର୍ଡ କିମ୍ବା ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ ସମ୍ପର୍କିତ ସୂଚନା ପାଇଁ ବିଏସଇ ଓଡ଼ିଶାର ଅଫିସିଆଲ୍ ୱେବସାଇଟ୍ bseodisha.ac.in ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।
ପ୍ରବଳ ବର୍ଷାରେ ପ୍ରଭାବିତ ହେବାକୁ ଥିବା ହାଇ-ଆଲର୍ଟ ଜିଲ୍ଲା ଯଥା ଗଜପତି, ଗଞ୍ଜାମ ଏବଂ ଖୋର୍ଦ୍ଧା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରାଥମିକ ସ୍କୁଲ, ହାଇସ୍କୁଲ ଏବଂ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକୁ ସାବଧାନତା ମୂଳକ ପଦକ୍ଷେପ ସ୍ବରୂପ ସେପ୍ଟେମ୍ବର ୨୪ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଘୋଷଣା କରାଯାଇଛି।