ଓଡ଼ିଶାରେ ଗତ ୩ ବର୍ଷ ମଧ୍ୟରେ ୨୫୬ଟି ହାତୀଙ୍କର ଜୀବନ ଯାଇଛି। ମଙ୍ଗଳାବାର ରାଜ୍ୟ ବିଧାନସଭାରେ ବିଧାୟକ ଦୁର୍ଗା ପ୍ରସନ୍ନ ରାୟଙ୍କ ପ୍ରଶ୍ନର ଉତ୍ତର ରଖି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ଏହି ତଥ୍ୟ ରାଜ୍ୟରେ ହାତୀ ବଂଶ ଓ ସେମାନଙ୍କ ସୁରକ୍ଷା ପ୍ରତି ଥିବା ବିପଦକୁ ସ୍ପଷ୍ଟ କରୁଛି।
ମନ୍ତ୍ରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସବିଶେଷ ତଥ୍ୟ ଅନୁଯାୟୀ ଗତ ୩ ବର୍ଷ ମଧ୍ୟରେ ୨୫୬ଟି ହାତୀ ମୃତ୍ୟୁ ବରଣ କରିଛନ୍ତି। ସେଥି ମଧ୍ୟରୁ ୧୩ଟି ହାତୀଙ୍କୁ ଶିକାରୀମାନେ ହତ୍ୟା କରିଛନ୍ତି।ଏହି ଶିକାର ମାମଲାରେ ସଂପୃକ୍ତ ଥିବା ୩୨ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି। ଏହା ବ୍ୟତୀତ ବିଦ୍ୟୁତ ଆଘାତ,ରୋଗ, ଟ୍ରେନ୍ ଦୁର୍ଘଟଣା ଏବଂ ପ୍ରାକୃତିକ କାରଣରୁ ମଧ୍ୟ ଅନେକ ହାତୀଙ୍କର ପ୍ରାଣହାନି ଘଟିଛି। ତେବେ ଅସ୍ବାଭାବିକ ହାତୀମୃତ୍ୟୁକୁ ରୋକିବା ପାଇଁ ସେମାନଙ୍କର ବାସସ୍ଥଳୀର ସୁରକ୍ଷା ଓ ସମୃଦ୍ଧି, ଖାଦ୍ୟ ଉପଯୋଗୀ ବୃକ୍ଷରୋପଣ, ଚାରଣ ଭୂମିର ବିକାଶ, କୃତ୍ରିମ ଜଳାଶୟ ସୃଷ୍ଟି, ଜଙ୍ଗଲ ନିଆଁରୁ ରକ୍ଷା, ଶିକାର ନିରୋଧକ ଶିବିର, ଜଙ୍ଗଲରେ ପଇଁତରା, ବୈଷୟୀକ ଜ୍ଞାନ କୌଶଳର ଉପଯୋଗୀତା ଦ୍ବାରା ହାତୀ ଓ ଶିକାରୀ ଙ୍କ ଗତିବିଧୂ ନଜର ରଖିବା ପାଇଁ ଶିକାର-ବିରୋଧୀ ଦଳ ମୁତୟନ, ବିଦ୍ୟୁତ ବିଭାଗ, ରେଳ ବିଭାଗ, ମତ୍ସ ଓ ଜଳ ସମ୍ପଦ ବିଭାଗ ସହିତ ସମନ୍ବୟ ବୈଠକ, ବ୍ୟାପକ ଜନ ସଚେତନତା ଇତ୍ୟାଦି ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଉଅଛି ବୋଲି ମନ୍ତ୍ରୀ କହିଛନ୍ତି।
ତେବେ ରାଜ୍ୟରେ ହାତୀ ଓ ମଣିଷ ମଧ୍ୟରେ ବଢୁଥିବା ସଂଘର୍ଷ ଏବଂ ହାତୀ ମୃତ୍ୟୁ ସଂଖ୍ୟାକୁ ନେଇ ପରିବେଶବିତ୍ମାନେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି।