ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହେବା ପରେ ଆହୁରି ଘନୀଭୂତ ହେଉଛି । ଗତ ୬ ଘଣ୍ଟା ମଧ୍ୟରେ ଏହା ଘଣ୍ଟା ପ୍ରତି ୧୮ କିମି ବେଗରେ ପଶ୍ଚିମ ଦିଗକୁ ଗତି କରି ଆଜି ସକାଳ ୮:୩୦ ସୁଦ୍ଧା କେନ୍ଦ୍ରୀଭୂତ ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରଟି ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୧ ସେପ୍ଟେମ୍ବର ୨୦୨୬ ସନ୍ଧ୍ୟା ୫:୩୦ ସମୟରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ଏକ ଅବପାତରେ ପରିଣତ ହୋଇଥିଲା । ଗତ ୬ ଘଣ୍ଟା ମଧ୍ୟରେ ଏହା ଘଣ୍ଟା ପ୍ରତି ୧୮ କିମି ବେଗରେ ପଶ୍ଚିମ ଦିଗକୁ ଗତି କରି ଆଜି, ୨୨ ସେପ୍ଟେମ୍ବର ୨୦୨୬ ସକାଳ ୮:୩୦ ସୁଦ୍ଧା ସେହି ସମାନ ଅଞ୍ଚଳରେ ୧୭.୯° ଉତ୍ତର ଅକ୍ଷାଂଶ ଓ ୮୬.୦° ପୂର୍ବ ଦ୍ରାଘିମା ନିକଟରେ କେନ୍ଦ୍ରୀଭୂତ ହୋଇ ରହିଛି I ଏହା ଗୋପାଳପୁର (ଓଡ଼ିଶା)ରୁ ଦକ୍ଷିଣ-ପୂର୍ବ ଦିଗରେ ପ୍ରାୟ ୨୦୦ କିମି, କଳିଙ୍ଗପାଟନମ୍ (ଆନ୍ଧ୍ରପ୍ରଦେଶ)ରୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ୨୦୦ କିମି, ପୁରୀ (ଓଡ଼ିଶା)ରୁ ଦକ୍ଷିଣ ଦିଗରେ ୨୧୦ କିମି ଏବଂ ବିଶାଖାପାଟିନମ୍ (ଆନ୍ଧ୍ରପ୍ରଦେଶ)ରୁ ପୂର୍ବ ଦିଗରେ ୨୯୦ କିମି ଦୂରରେ ଅବସ୍ଥିତ । ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ଏକପରେ ପରିଣତ ହେବାର ସମ୍ଭାବନା ରହିଛି।
ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି ଜାରି ରଖ୍, ଏହା ୨୩ ସେପ୍ଟେମ୍ବର ରାତିରୁ ୨୪ ସେପ୍ଟେମ୍ବର ଭୋର ମଧ୍ୟରେ ଏକ ଗଭୀର ଅବପାତ ଭାବରେ ବିଶାଖାପାଟନମ୍ ଓ ଗୋପାଳପୁର ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି ।
ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୨୫ ତାରିଖ ଯାଏ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ଦକ୍ଷିଣରୁ ନେଇ ଉପକୂଳ ଏବଂ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ । ଆସନ୍ତାକାଲି ଓ ଗୁରୁବାର ପାଇଁ କୋରାପୁଟ, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ମାଲକାନଗିରି, ନବରଙ୍ଗପରୁ, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଏବଂ କଟକ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଏହା ସହିତ ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ସୋନପୁର, ବୌଦ୍ଧ, ଢେଙ୍କାନାଳ, ଅନୁଗୋଳ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ସମୟରେ ଘଡ଼ଘଡ଼ି ବିଜୁଳି ମାରିବା ସହ ପବନର ବେଗ ମଧ୍ୟ ଅଧିକ ରହିବ ।