ବରଗଡ଼: ନକଲି ନୋଟ୍ରେ ବାଇକ୍ କିଣିବା ବେଳେ ଧରିଲା ପୋଲିସ। ସେକେଣ୍ଡ ହ୍ୟାଣ୍ଡ ବାଇକ୍ କିଣୁଥିବା ବେଳେ ଧରାପଡ଼ିଲା ନାବାଳକ।
ଜବତ ହୋଇଥିବା ନୋଟ୍ ଗୁଡ଼ିକ ମଧ୍ୟରେ ୫୦୦ ଓ ୧୦୦ ,୨୦୦ ଟଙ୍କିଆ ନୋଟ୍ ସାମିଲ ରହିଛି।
ସୂଚନା ଅନୁଯାୟୀ ବରଗଡ଼ ଟାଉନ୍ ଥାନା ପୋଲିସ ଏକ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରିବା ସହ ଏହି ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ କରିଛି। ପୋଲିସ ପାଖାପାଖି ୪୫,୦୦୦ ଟଙ୍କାର ନକଲି ନୋଟ୍ ଉଦ୍ଧାର କରିଛି। ଏହି ମାମଲାରେ ପୋଲିସ ଜଣେ ଅଭିଯୁକ୍ତ ନାବାଳକକୁ ଅଟକ ରଖିଛି। ଅଟକ ରହିଥିବା ନାବାଳକ ସୁନ୍ଦରଗଡ଼ରୁ ଆସି ବାଇକ୍ କିଣୁଥିଲା ବେଳେ ଧରିଛି ପୋଲିସ୍।
ଏହି ବେଆଇନ ଜାଲ୍ ନୋଟ୍ ର଼୍ୟାକେଟ୍ ପଛରେ ଆଉ କେଉଁମାନଙ୍କର ହାତ ରହିଛି ଏବଂ ଏହି ନକଲି ନୋଟ୍ କେଉଁଠାରୁ ଛପା ହୋଇ ଚାଲାଣ ହେଉଥିଲା, ସେନେଇ ପୋଲିସ ନିଜର ଖୋଳତାଡ଼ ଓ ତଦନ୍ତ ଜାରି ରଖିଛି।