ଭୁବନେଶ୍ୱର: ୧୭ତମ ଓଡ଼ିଶା ବିଧାନସଭାର ସପ୍ତମ ଅଧିବେଶନର ପ୍ରଥମ ଦିନ ଶୋକ ପ୍ରସ୍ତାବରୁ ଆରମ୍ଭ ହୋଇ ହଙ୍ଗାମାରେ ମୁଲତବୀ ସହ ଶେଷ ହୋଇଛି। ଗୃହ ଆରମ୍ଭ ହେବା ପରେ ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଏହାପରେ ବିରୋଧୀ ଦଳନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ରାମଚନ୍ଦ୍ର କାଡାମ ଓ ଶେଷରେ ବାଚସ୍ପତି ସୁରମା ପାଢ଼ୀ ଶୋକ ପ୍ରସ୍ତାବ ଉପସ୍ଥାପନ କରିଥିଲେ।
ଗୃହରେ ସ୍ୱର୍ଗତ ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ମାଝୀ, ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହ, ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ, ରାମମୂର୍ତ୍ତି ଗମାଙ୍ଗ, ହାଜି ମହମ୍ମଦ ଆୟୁବ ଖାନ ଓ ଶିବାଜୀ ମାଝୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା। ଏହାସହ ନେପାଳର ଭୟାବହ ବନ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କ ଉଦ୍ଦେଶ୍ୟରେ ମଧ୍ୟ ଶୋକ ପ୍ରସ୍ତାବ ଗୃହୀତ ହୋଇଥିଲା।
ଶୋକ ପ୍ରସ୍ତାବ ପରେ ଗୃହରେ ତାତି ଦେଖିବାକୁ ମିଳିଥିଲା। MMDR ସଂଶୋଧନ ଆଇନ ଓ ସ୍କୁଲ ପାଠ୍ୟପୁସ୍ତକରେ ୧,୬୭୮ଟି ତ୍ରୁଟି ପ୍ରସଙ୍ଗ ଉଠାଇ କଂଗ୍ରେସ ବିଧାୟକମାନେ ବିକ୍ଷୋଭ କରିଥିଲେ। କଂଗ୍ରେସ ସଦସ୍ୟମାନେ ବେଲ୍କୁ ଓହ୍ଲାଇ ପ୍ରବଳ ବିକ୍ଷୋଭ କରିଥିଲେ। କଂଗ୍ରେସ ବିଧାୟକ ତାରା ବାହିନୀପତି ବିଧାନସଭାର ଟେବୁଲ ଉପରେ ଛିଡ଼ା ହୋଇ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ପ୍ରତିବାଦ କରିଥିଲେ। ଅନ୍ୟ ବିରୋଧୀ ସଦସ୍ୟମାନେ ମଧ୍ୟ ତାଙ୍କ ସହ ବିକ୍ଷୋଭରେ ସାମିଲ ହୋଇଥିଲେ। ପ୍ରବଳ ହଙ୍ଗାମା ମଧ୍ୟରେ ବାଚସ୍ପତି ଗୃହକୁ ସକାଳ ୧୧ଟା ୩୭ ମିନିଟରୁ ଦିନ ୧ଟା ୧୦ ମିନିଟ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି।
ଚଳିତ ମୌସୁମୀ ଅଧିବେଶନ ଅକ୍ଟୋବର ୩ ପର୍ଯ୍ୟନ୍ତ ଚାଲିବ। ମୋଟ ୯ଟି କାର୍ଯ୍ୟଦିବସରେ ୬ଟି ବିଲ୍ ଆଗତ ହେବାର ସୂଚନା ରହିଛି। ବିଜେଡି ଓ କଂଗ୍ରେସ MMDR ଆଇନକୁ ନେଇ ଓଡ଼ିଶାର ଆର୍ଥିକ ସ୍ୱାର୍ଥ ପ୍ରଭାବିତ ହେଉଥିବା ଅଭିଯୋଗ ଉଠାଇଥିବାବେଳେ, ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ ମଧ୍ୟ ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତି କରିଛନ୍ତି। ଫଳରେ ଆଗାମୀ ଦିନଗୁଡ଼ିକରେ ବିଧାନସଭାରେ ଜୋରଦାର ଆଲୋଚନା ଓ ରାଜନୈତିକ ଟକ୍କର ହେବାର ସମ୍ଭାବନା ରହିଛି।