ଭୁବନେଶ୍ୱର: ଓଡ଼ିଶାର ନୂଆ ପୁଲିସ ଡିଜିପି ଚୟନ ପ୍ରକ୍ରିୟାକୁ ନେଇ ଚାଲିଥିବା ଆଇନଗତ ଲଢ଼େଇ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ। ଦୀର୍ଘଦିନ ଧରି ଚାଲିଥିବା ଏହି ମାମଲାର ଶୁଣାଣି ପୂର୍ବରୁ ଚାରି ଥର ବିଭିନ୍ନ କାରଣରୁ ଘୁଞ୍ଚିଛି। ତେଣୁ ଆଜି ମାମଲାରେ କ’ଣ ଶୁଣାଣି ହେଉଛି ଏବଂ ନୂଆ DGP ଚୟନ ପ୍ରକ୍ରିୟାକୁ ନେଇ କୋର୍ଟ କି ଦିଗ୍ନିର୍ଦ୍ଦେଶ ଦେଉଛନ୍ତି, ତା’ଉପରେ ନଜର ରହିଛି।
ଗତ ସେପ୍ଟେମ୍ବର ୭ ତାରିଖର ଶୁଣାଣିରେ ମାମଲା ଏକ ନୂଆ ମୋଡ଼ ନେଇଥିଲା। ପ୍ରଥମ ଥର ପାଇଁ ବରିଷ୍ଠ IPS ଅଧିକାରୀ ସୁଶାନ୍ତ ନାଥଙ୍କ ପକ୍ଷରୁ ତାଙ୍କ ଆଇନଜୀବୀ ସୁପ୍ରିମକୋର୍ଟରେ ହାଜର ହୋଇ ଯୁକ୍ତି ରଖିଥିଲେ। ତାଙ୍କ ପକ୍ଷରୁ ଦାବି କରାଯାଇଥିଲା ଯେ, ପୂର୍ବରୁ DGP ପଦ ପାଇଁ ପ୍ରସ୍ତାବିତ ପ୍ରାର୍ଥୀ ତାଲିକାରେ ସୁଶାନ୍ତ ନାଥଙ୍କ ନାମ ରହିଥିଲା।
ତେବେ କେଉଁ ପରିସ୍ଥିତିରେ ତାଙ୍କ ନାମ ତାଲିକାରୁ ବାଦ ପଡ଼ିଲା, ଏହାର ଯଥାର୍ଥତା କ’ଣ ବୋଲି ତାଙ୍କ ଆଇନଜୀବୀ ପ୍ରଶ୍ନ ଉଠାଇଥିଲେ। ତାଙ୍କ ନାମ ଯେଉଁଭଳି ଭାବେ ବାଦ ଦିଆଯାଇଛି, ତାହା ଆଇନସମ୍ମତ ନୁହେଁ ବୋଲି ଯୁକ୍ତି ରଖାଯାଇଥିଲା।
ଏହାସହ ନିଜ ଦାବି ସପକ୍ଷରେ ମତ ଓ ତଥ୍ୟ ରଖିବା ପାଇଁ ସୁଶାନ୍ତ ନାଥଙ୍କୁ ସୁଯୋଗ ଦେବାକୁ ଖଣ୍ଡପୀଠଙ୍କ ନିକଟରେ ଅନୁରୋଧ କରାଯାଇଥିଲା। ଏହାପରେ ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୭କୁ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ମାମଲା ଥିବାରୁ ୧୭ ତାରିଖରେ ଏହାର ଶୁଣାଣି ହୋଇପାରିନଥିଲା।
ପରେ ଶୁଣାଣିକୁ ସେପ୍ଟେମ୍ବର ୨୨କୁ ଘୁଞ୍ଚାଯାଇଥିଲା। ଏବେ ଆଜିର ଶୁଣାଣି ଉପରେ ସମସ୍ତଙ୍କ ନଜର ରହିଛି। ଓଡ଼ିଶାର ନୂଆ DGP ଚୟନ ପ୍ରକ୍ରିୟା କେବେ ଶେଷ ହେବ ଏବଂ ମାମଲାରେ ସୁଶାନ୍ତ ନାଥଙ୍କ ପକ୍ଷରୁ ଉଠାଯାଇଥିବା ଦାବି ଉପରେ କୋର୍ଟ କି ଆଭିମୁଖ୍ୟ ନେବେ, ତାହା ଆଜିର ଶୁଣାଣି ପରେ ସ୍ପଷ୍ଟ ହୋଇପାରେ।