ନୂଆଦିଲ୍ଲୀ: ଇରାନ-ଆମେରିକା ଯୁଦ୍ଧ ପାଇଁ ଦୀର୍ଘ ମାସ ଧରି ବନ୍ଦ ରହିଥିବା ହର୍ମୁଜ ଜଳପ୍ରଣାଳୀକୁ ଖୋଲିବାକୁ ଇରାନ ରାଜି ହୋଇଛି । କିନ୍ତୁ ଏଥିପାଇଁ ଆମେରିକା ସାମ୍ନାରେ ବଡ଼ ସର୍ତ୍ତ ରଖିଛି । ଯଦି ଆମେରିକା ସାମରିକ ଚାପ ହ୍ରାସ କରେ ତେବେ ଇରାନ ହର୍ମୁଜ ପ୍ରଣାଳୀକୁ ଖୋଲିବାକୁ ପ୍ରସ୍ତୁତ ଜଣେ ବରିଷ୍ଠ ଅଧିକାରୀ ଆମେରିକାକୁ ସ୍ପଷ୍ଟ ସଙ୍କେତ ଦେଇଛନ୍ତି ।
ସମ୍ବାଦ ସରବରାହ ସଂସ୍ଥା 'ରଏଟର୍ସ' ଅନୁଯାୟୀ, ମିଳିତ ଜାତିସଂଘ ସାଧାରଣ ସଭା ପାଇଁ ନ୍ୟୁୟର୍କ ଆସିଥିବା ଇରାନୀ ପ୍ରତିନିଧି ଦଳକୁ ଆମେରିକା ସହିତ ଅଟକି ରହିଥିବା କୂଟନୈତିକ ଆଲୋଚନା ପୁନର୍ବାର ଆରମ୍ଭ କରିବା ପାଇଁ ସମ୍ପୂର୍ଣ୍ଣ ଅଧିକାର ଦିଆଯାଇଛି । ହର୍ମୁଜ ପ୍ରଣାଳୀ ପାଇଁ ପୁଣି ଥରେ ଆମେରିକା ସହିତ ଆଲୋଚନା କରିବାକୁ ସହମତି ଦେଇଛି । ଇରାନ ଦ୍ୱାରା ରଖାଯାଇଥିବା ଏହି ସର୍ତ୍ତ ପରେ, ବର୍ତ୍ତମାନ ସମସ୍ତଙ୍କ ନଜର ଆମେରିକାର ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି।
୨ ମାର୍ଚ୍ଚ ୨୦୨୬ରୁ ବାଣିଜ୍ୟିକ ଜାହାଜଗୁଡ଼ିକ ପାଇଁ ହରମୁଜ୍ ପ୍ରଣାଳୀ ମୁଖ୍ୟତଃ ବନ୍ଦ ରହିଛି। ଇରାନ ଏବଂ ଆମେରିକା ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ପରେ ଇରାନୀ ସେନା ଏହି ରଣନୈତିକ ସାମୁଦ୍ରିକ ପଥକୁ ବନ୍ଦ କରିବାକୁ ଘୋଷଣା କରିଥିଲା। ଯଦିଓ ଜୁନ୍ ଏବଂ ଜୁଲାଇ ମାସରେ ଏହାକୁ ସ୍ୱଳ୍ପ ସମୟ ପାଇଁ ଖୋଲିବାକୁ ଉଦ୍ୟମ କରାଯାଇଥିଲା, ତଥାପି ଜାହାଜଗୁଡ଼ିକ ଉପରେ ଆକ୍ରମଣ ଯୋଗୁଁ ଏହା ପୁନର୍ବାର ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା।
ହର୍ମୁଜ୍ ପ୍ରଣାଳୀ ହେଉଛି ବିଶ୍ୱର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ, ଯାହା ମାଧ୍ୟମରେ ବିଶ୍ୱର ଏକ ବଡ଼ ଅଂଶର ଯୋଗାଣ କାର୍ଯ୍ୟ ସମ୍ପାଦିତ ହୋଇଥାଏ। ଏହି ପ୍ରଣାଳୀ ବନ୍ଦ ହେଲେ ବିଶ୍ୱସ୍ତରୀୟ ଶକ୍ତି ସଙ୍କଟ ଏବଂ ଅଶୋଧିତ ତେଲ ଦରରେ ତୀବ୍ର ବୃଦ୍ଧିର ଆଶଙ୍କା ରହିଥାଏ।