ନୂଆଦିଲ୍ଲୀ:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ନେଇ ଏକ ବଡ଼ ଏବଂ କଠୋର ଚେତାବନୀ ଦେଇଛନ୍ତି। ଇରାନ ଯଦି ନିଜର ଆଚରଣ ନ ସୁଧାରେ, ତେବେ ଆଗାମୀ ଦିନରେ କିଛି ବଡ଼ ଧରଣର ପରିସ୍ଥିତି ସୃଷ୍ଟି ହେବ ବୋଲି ସେ ସତର୍କ କରାଇଛନ୍ତି।
ଏକ ଗଣମାଧ୍ୟମ ସାକ୍ଷାତକାରରେ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ ସେ ବର୍ତ୍ତମାନ ଇରାନ ପ୍ରସଙ୍ଗରେ ଏକ ନିଷ୍ପତ୍ତିମୂଳକ ପର୍ଯ୍ୟାୟ ଅର୍ଥାତ୍ ‘ଡିସାଇଡିଂ ମୋଡ୍’ରେ ଅଛନ୍ତି।ଇରାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ତାଙ୍କ ପାଖରେ ବିକଳ୍ପଗୁଡ଼ିକ ମହଜୁଦ ରହିଛି ବୋଲି ସେ ସୂଚନା ଦେଇଛନ୍ତି। ଯଦି ତେହେରାନ ସୁଧୁରି ନ ଯାଏ, ତେବେ ଖୁବ୍ ଶୀଘ୍ର ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ସାମ୍ନାରେ ରହିଛି ତିନୋଟି ବଡ଼ ବିକଳ୍ପ
ଇରାନ ସରକାର ଏବଂ ଏହାର ଅର୍ଥନୀତିକୁ ନେଇ ଟ୍ରମ୍ପ କହିଛନ୍ତି ଯେ ତାଙ୍କ ସାମ୍ନାରେ ଏବେ କିଛି ମୁଖ୍ୟ ପନ୍ଥା ରହିଛି— ଯଥା: ଦେଶକୁ ଆର୍ଥିକ ଭାବେ ସମ୍ପୂର୍ଣ୍ଣ ଭାଙ୍ଗିବାକୁ ଦେବା, ସାମରିକ ଆକ୍ରମଣ କରି ସ୍ଥିତି ନିୟନ୍ତ୍ରଣ କରିବା କିମ୍ବା କୌଣସି କୂଟନୈତିକ ବୁଝାମଣାରେ ପହଞ୍ଚିବା। ତେବେ ଇରାନର ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ଆମେରିକା ଯେକୌଣସି ଚରମ ନିଷ୍ପତ୍ତି ନେଇପାରେ ବୋଲି ସେ ସଙ୍କେତ ଦେଇଛନ୍ତି।
ଆଗାମୀ ଜାତିସଂଘ ମହାସଭା ବୈଠକ ପୂର୍ବରୁ ଆମେରିକା ଓ ଇରାନ ମଧ୍ୟରେ ବଢ଼ିଥିବା ଏହି ବାକ୍ଯୁଦ୍ଧ ଓ ରାଜନୈତିକ ଉତ୍ତେଜନା ସାରା ବିଶ୍ୱର ନଜର ଆକର୍ଷଣ କରିଛି। ଇରାନର ଆଭିମୁଖ୍ୟ ଏବଂ ଆମେରିକାର କଠୋର ନୀତି ପଶ୍ଚିମ ଏସିଆରେ ଆଗାମୀ ଦିନରେ କୌଣସି ବଡ଼ଧରଣର ସଂଘର୍ଷର ଆଶଙ୍କାକୁ ବଢ଼ାଇ ଦେଇଛି।