ଇସଲାମାବାଦ: ପାକିସ୍ତାନର ବଲୋଚିସ୍ତାନ ପ୍ରଦେଶ ଦୀର୍ଘ ସମୟ ଧରି ଅଶାନ୍ତିର ଶିକାର ହୋଇରହିଛି। ଏହି ପ୍ରଦେଶରେ କେତେକ ସଶସ୍ତ୍ର ଗୋଷ୍ଠୀ ପାକିସ୍ତାନୀ ସେନାଠାରୁ ସ୍ୱାଧୀନତା ପାଇଁ ଲଢ଼େଇ କରୁଛନ୍ତି। ପାକିସ୍ତାନୀ ସେନା ସ୍ଥଳଭାଗରେ ଏମାନଙ୍କ ସାମ୍ନା କରିବାକୁ ଚେଷ୍ଟା କରିଛି, ତ ପୁଣି ବିମାନ ଆକ୍ରମଣର ସାହାରା ମଧ୍ୟ ନେଇଛି। ଏହା ସତ୍ତ୍ୱେ ପାକିସ୍ତାନୀ ଆର୍ମି ଏଠାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଦେଖାଯାଇଛି। ଏପରି ପରିସ୍ଥିତିରେ ଅସୀମ ମୁନୀରଙ୍କ ନେତୃତ୍ୱାଧୀନ ଆର୍ମି ଆଫଗାନିସ୍ତାନର ପୂର୍ବତନ ସୈନିକଙ୍କ ସାହାଯ୍ୟରେ ବଲୋଚିସ୍ତାନରେ 'ଅପରେସନ୍' ପାଇଁ ପ୍ରସ୍ତୁତି କରୁଛି। ବିଶେଷଜ୍ଞମାନେ ଏହାକୁ ପାକିସ୍ତାନୀ ଆର୍ମିର ବଲୋଚିସ୍ତାନରେ ବ୍ୟାପକ ସ୍ତରରେ 'ଗଣହତ୍ୟାର ଯୋଜନା' ଭାବେ ଦେଖୁଛନ୍ତି।
ବଲୋଚିସ୍ତାନ ଉପରେ ନଜର ରଖିଥିବା ଏକ ସୂତ୍ର RFE/RL କୁ ଜଣାଇଛି ଯେ, ଏହି ପ୍ରଦେଶରେ ପ୍ରାୟ ୨,୦୦୦ ପୂର୍ବତନ ଆଫଗାନ ପୋଲିସ ଅଫିସର ଏବଂ ସୈନିକଙ୍କୁ ଭର୍ତ୍ତି କରାଯାଇଛି। ଏହି ଲୋକମାନଙ୍କୁ ଏପରି ଏକ ଗୋଷ୍ଠୀରେ ଭର୍ତ୍ତି କରାଯାଇଛି, ଯାହା ପାକିସ୍ତାନ ସରକାରଙ୍କ ସମର୍ଥନରେ ବିଚ୍ଛିନ୍ନତାବାଦୀ ଗୋଷ୍ଠୀଗୁଡ଼ିକ ବିରୋଧରେ ଲଢ଼ୁଛି। ସେମାନଙ୍କୁ ପାକିସ୍ତାନ ସରକାର ଆନୁପାତିକ ଦରମା ଦେବେ।
୪୦,୦୦୦ ଟଙ୍କା ମାସିକ ଦରମାରେ ଭର୍ତ୍ତି
ପାକିସ୍ତାନରେ ରହୁଥିବା ପୂର୍ବତନ ଆଫଗାନ ସୈନିକ 'ଖାନ୍' ଜଣାଇଛନ୍ତି ଯେ, ସେ ଏପରି ଅନେକ ଲୋକଙ୍କୁ ଜାଣିଛନ୍ତି, ଯେଉଁମାନେ ସରକାର ସମର୍ଥିତ ସଶସ୍ତ୍ର ଗୋଷ୍ଠୀରେ ସାମିଲ ହୋଇଛନ୍ତି। ଏହାର ନେତୃତ୍ୱ ଜଣେ ପୂର୍ବତନ ଆଫଗାନ ପୋଲିସ ଅଫିସର କରୁଛନ୍ତି। ଖାନ୍ଙ୍କ କହିବା ଅନୁଯାୟୀ, ଭର୍ତ୍ତି ହେବା ପରେ ପୂର୍ବତନ ଆଫଗାନ ସୁରକ୍ଷା ଅଫିସର ଏବଂ ସୈନିକମାନଙ୍କୁ ସେମାନଙ୍କ ନିର୍ଦ୍ଧାରିତ ଅଞ୍ଚଳର ସ୍ଥାନୀୟ ପୋଲିସ ଷ୍ଟେସନ୍ ସହ ପରିଚିତ କରାଯାଏ, ଯାହାଫଳରେ ଅସ୍ତ୍ରଶସ୍ତ୍ର ନେବାଆଣିବା ବେଳେ କିମ୍ବା ପୋଲିସ ଯାଞ୍ଚ ଚୌକିରେ ସେମାନଙ୍କୁ ଚିହ୍ନଟ କରିବାରେ କୌଣସି ଅସୁବିଧା ନହୁଏ।
ଖାନଙ୍କ ମୁତାବକ, ଭର୍ତ୍ତି କରାଯାଉଥିବା ସୈନିକମାନଙ୍କୁ ପ୍ରତିମାସରେ ୪୦,୦୦୦ ପାକିସ୍ତାନୀ ଟଙ୍କା (୧୪୫ ଡଲାର) ମିଳୁଛି। ନିଜେ ତାଙ୍କୁ ମଧ୍ୟ ଏହି ଅଫର୍ ଅନେକ ଥର ମିଳିଛି ଯେ, ସେ ବଲୋଚିସ୍ତାନରେ ପାକିସ୍ତାନୀ ସୁରକ୍ଷା ଏଜେନ୍ସିଗୁଡ଼ିକ ସହ ମିଶି କାମ କରନ୍ତୁ। ବଲୋଚିସ୍ତାନ ହେଉଛି ପାକିସ୍ତାନର ଦକ୍ଷିଣ-ପଶ୍ଚିମ ପ୍ରଦେଶ, ଯାହାର ସୀମା ଆଫଗାନିସ୍ତାନ ଏବଂ ଇରାନ ସହ ଲାଗିରହିଛି। ଏପରି ସ୍ଥିତିରେ ଆଫଗାନିସ୍ତାନରେ ତାଲିମ୍ ନେଇଥିବା ପୂର୍ବତନ ସୈନିକ ପାକିସ୍ତାନୀ ଆର୍ମିର ବହୁତ କାମରେ ଆସିପାରନ୍ତି।
"ମୋତେ ମଧ୍ୟ ଭର୍ତ୍ତି ହେବାର ଅଫର୍ ପୂର୍ବତନ ଆଫଗାନ ସରକାରଙ୍କ ପୋଲିସ ଅଫିସରଙ୍କ ପକ୍ଷରୁ ଆସିଥିଲା। ସେ ପୂର୍ବରୁ ହିଁ ଶହ ଶହ ବେକାର ଆଫଗାନ ପୋଲିସକର୍ମୀଙ୍କୁ ଭର୍ତ୍ତି କରିସାରିଛନ୍ତି, ଯେଉଁମାନେ ଅଗଷ୍ଟ ୨୦୨୧ ରେ କାବୁଲ ଉପରେ ତାଲିବାନ୍ କବ୍ଜା କରିବା ପରେ ପାକିସ୍ତାନ ପଳାଇ ଆସିଥିଲେ।"
— ପୂର୍ବତନ ଆଫଗାନ ଅଫିସର
ପାକିସ୍ତାନରେ ଅଶାନ୍ତି
ପାକିସ୍ତାନର ବଲୋଚିସ୍ତାନ ପ୍ରଦେଶ ସୁରକ୍ଷାର ବିଗୁଡ଼ୁଥିବା ସଙ୍କଟର ସାମ୍ନା କରୁଛି। ବଲୋଚ ବିଚ୍ଛିନ୍ନତାବାଦୀ ଗୋଷ୍ଠୀଗୁଡ଼ିକ ପାକିସ୍ତାନୀ ସରକାର ବିରୋଧରେ ଅନେକ ବର୍ଷ ହେବ ବିଦ୍ରୋହ ଜାରି ରଖିଛନ୍ତି। ଏଥିମଧ୍ୟରୁ ଗୋଟିଏ ପ୍ରମୁଖ ନାମ ହେଉଛି 'ବଲୋଚିସ୍ତାନ ଲିବରେସନ୍ ଆର୍ମି' (BLA)। ଏହି ଗୋଷ୍ଠୀ ବାରମ୍ବାର ପାକିସ୍ତାନୀ ସୁରକ୍ଷାବଳ ଉପରେ ଆକ୍ରମଣ କରିଛି। BLA ର ଦାବି ହେଉଛି ବଲୋଚିସ୍ତାନକୁ ସ୍ୱାଧୀନ କରିବା।
ସେହିପରି 'ପାକିସ୍ତାନୀ ତାଲିବାନ୍' କିମ୍ବା 'ତେହରିକ୍-ଏ-ତାଲିବାନ୍ ପାକିସ୍ତାନ' (TTP) ମଧ୍ୟ ବଲୋଚିସ୍ତାନର ପଶ୍ଚୁନ୍-ବହୁଳ ଉତ୍ତର ଜିଲ୍ଲାଗୁଡ଼ିକରେ ପାକିସ୍ତାନୀ ସୁରକ୍ଷାବଳ ଉପରେ ଆକ୍ରମଣ କରିଛି। ଏହାଦ୍ୱାରା ଏହି ସଂଘର୍ଷ ଆହୁରି ବଡ଼ ଅଞ୍ଚଳକୁ ବ୍ୟାପିଯାଇଛି, ଯାହା ପୂର୍ବରୁ ମୁଖ୍ୟତଃ ପଡ଼ୋଶୀ ଖାଇବର୍ ପାଖ୍ତୁନ୍ଖ୍ୱା ଏବଂ ଆଫଗାନ ସୀମା ପାଖରେ ଥିବା ପାକିସ୍ତାନର ପୂର୍ବ ଆଦିବାସୀ ଅଞ୍ଚଳଗୁଡ଼ିକ ମଧ୍ୟରେ ସୀମିତ ଥିଲା।