ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରରୁ ଆସିଛି ଏକ ଲୋମହର୍ଷଣକାରୀ ଘଟଣା। କରମା ପୂଜା ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିବା ବେଳେ ଦୁଇ ନାବାଳିକାଙ୍କୁ ଜଙ୍ଗଲିଆ ଅଞ୍ଚଳକୁ ନେଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି।
ଅଭିଯୋଗ ଅନୁସାରେ, କୁଆରମୁଣ୍ଡାରେ କରମା ପୂଜା ଦେଖି ଫେରୁଥିବା ସମୟରେ କିଛି ଯୁବକ ରାସ୍ତାରେ ଦୁଇ ନାବାଳିକାଙ୍କୁ ଅଟକାଇଥିଲେ। ପରେ ସେମାନଙ୍କୁ ଜୋରଜବରଦସ୍ତି ଜଙ୍ଗଲ ଭିତରକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣା କାହାକୁ କହିଲେ ପ୍ରାଣନାଶର ଧମକ ଦେବା ସହ ୭ ହଜାର ଟଙ୍କା ଦେଇ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ।
ଘରେ ପହଞ୍ଚିବା ପରେ ପୀଡ଼ିତାମାନେ ପରିବାର ଲୋକଙ୍କୁ ସମ୍ପୂର୍ଣ୍ଣ ଘଟଣା ଜଣାଇଥିଲେ। ଏହାପରେ ବୀରମିତ୍ରପୁର ଥାନାରେ ଏତଲା ଦାଖଲ ହୋଇଥିଲା। ଅଭିଯୋଗ ପାଇବା ମାତ୍ରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୫ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି।
ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ ବିସ୍ତୃତ ସରକାରୀ ସୂଚନା ପ୍ରକାଶ ପାଇନଥିବା ବେଳେ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରହିଛି। ଅଭିଯୁକ୍ତଙ୍କ ବିରୋଧରେ କଡ଼ାରୁ କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ ସ୍ଥାନୀୟ ଲୋକେ ସ୍ୱର ଉଠାଇଛନ୍ତି।