ଭୁବନେଶ୍ୱର : ଆସନ୍ତା ସେପ୍ଟେମ୍ବର ୧୯ ତାରିଖ ସନ୍ଧ୍ୟା ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଏବଂ ତା’ର ପାର୍ଶ୍ୱବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଉତ୍ତର ଥାଇଲାଣ୍ଡ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏହି ସିଷ୍ଟମ ପ୍ରସ୍ତୁତ ହେଉଛି।
ଭାରତୀୟ ପାଣିପାଗ ବିଭାଗ (IMD) ର ସୂଚନା ଅନୁଯାୟୀ, ଲଘୁଚାପ ସୃଷ୍ଟି ହେବା ପରେ ଏହା ଧୀରେ ଧୀରେ ଅଧିକ ସଂଗଠିତ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବ ଏବଂ ସେପ୍ଟେମ୍ବର ୨୩ କିମ୍ବା ୨୪ ଆଡ଼କୁ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ପହଞ୍ଚିପାରେ। ଏହାର ପ୍ରଭାବରେ ଓଡ଼ିଶାରେ ସେପ୍ଟେମ୍ବର ୧୯ ରୁ ବର୍ଷାର ପରିମାଣ ବଢ଼ିବ। ବିଶେଷ କରି ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ସେପ୍ଟେମ୍ବର ୧୯ ରୁ ୨୦ ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଏବଂ ୩୦-୪୦ କିମି ବେଗରେ ପବନ ବହିବା ନେଇ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ଲଘୁଚାପ ପ୍ରଭାବରେ ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଏବଂ ଗଞ୍ଜାମ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବୌଦ୍ଧ ଇତ୍ୟାଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘଡ଼ଘଡ଼ି ହେବା ସମ୍ଭାବନା ରହିଛି।
ଅନ୍ୟପଟେ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ବାତ୍ଯାକୁ ନେଇ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ କେବଳ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଆକଳନ କରାଯାଇଛି। ଏହା ବାତ୍ୟାର ରୂପ ନେବ କି ନାହିଁ, ତାହା ସେପ୍ଟେମ୍ବର ୧୯-୨୦ ତାରିଖରେ ଲଘୁଚାପ ସୃଷ୍ଟି ହେବା ପରେ ହିଁ ସ୍ପଷ୍ଟ ଜଣାପଡ଼ିବ। ତେଣୁ ବାତ୍ୟା ଗୁଜବରେ ଆତଙ୍କିତ ନହେବା ପାଇଁ ଆଇଏମଡି ପରାମର୍ଶ ଦେଇଛି।