ଭୁବନେଶ୍ୱର: ଓଡ଼ିଶା ସରକାର ରାଜ୍ୟର ପ୍ରମୁଖ ପ୍ରଶାସନିକ କେନ୍ଦ୍ର ଲୋକସେବା ଭବନକୁ ‘ତମାଖୁମୁକ୍ତ ଜୋନ୍’ ଘୋଷଣା କରିଛନ୍ତି। ସରକାରୀ କର୍ମଚାରୀ ଓ ପ୍ରତିଦିନ ଆସୁଥିବା ହଜାର ହଜାର ଦର୍ଶନାର୍ଥୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ସହ ସ୍ୱଚ୍ଛ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଲୋକସେବା ଭବନ ପରିସର ମଧ୍ୟରେ ଧୂମପାନ, ସିଗାରେଟ, ବିଡ଼ି, ଗୁଟଖା, ଖଇନି, ପାନମସଲା ସହ ସମସ୍ତ ପ୍ରକାର ତମାଖୁଜାତ ଦ୍ରବ୍ୟର ବ୍ୟବହାର ଓ ସେବନ ସମ୍ପୂର୍ଣ୍ଣ ନିଷିଦ୍ଧ ରହିବ। କେବଳ ସେତିକି ନୁହେଁ, ପରିସର ଭିତରେ ତମାଖୁ ଛେପ ପକାଇବା ଉପରେ ମଧ୍ୟ କଡ଼ା କଟକଣା ଲାଗୁ କରାଯାଇଛି।
ଏଣିକି ଲୋକସେବା ଭବନକୁ ପ୍ରବେଶ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏହି ନିୟମ ମାନିବାକୁ ପଡ଼ିବ। ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଜରିମାନା ସହ ପ୍ରଚଳିତ ଆଇନ ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇପାରେ।
ସରକାର କହିଛନ୍ତି, ତମାଖୁ ସେବନ କର୍କଟ, ହୃଦରୋଗ ଓ ଫୁସଫୁସ ଜନିତ ଗୁରୁତର ଅସଂକ୍ରାମକ ରୋଗର ଅନ୍ୟତମ ପ୍ରମୁଖ କାରଣ। ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ଯେ, ଭାରତରେ ପ୍ରତିବର୍ଷ ପ୍ରାୟ ୧୩ ଲକ୍ଷ ଲୋକ ତମାଖୁ ସେବନ ଯୋଗୁଁ ପ୍ରାଣ ହରାଉଛନ୍ତି। ଏହି ପଦକ୍ଷେପ କେବଳ ଏକ ନିଷେଧାଜ୍ଞା ନୁହେଁ, ବରଂ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ସ୍ୱଚ୍ଛ, ସୁରକ୍ଷିତ ଓ ସ୍ୱାସ୍ଥ୍ୟକର ସାର୍ବଜନିକ ସ୍ଥାନରେ ପରିଣତ କରିବା ଦିଗରେ ଏକ ସଚେତନତାମୂଳକ ପଦକ୍ଷେପ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି।