ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ରଣବୀର ସିଂ ପ୍ରଭୁ ଗଜାନନଙ୍କ ଚରଣରେ ବଡ଼ ସଂକଳ୍ପ ନେଇଛନ୍ତି । ଜଣେ କିମ୍ବା ଦୁଇ ଜଣ ନୁହେଁ ୧୦୦୦ ଝିଅଙ୍କ ମୁହଁରେ ହସ ଫୁଟାଇବେ ରଣବୀର । ୧୦୦୦ ଝିଅଙ୍କ ପାଠପଢ଼ାର ଦାୟିତ୍ୱ ବହନ କରିବାକୁ ରଣବୀର ସିଂ ମୁମ୍ବାଇରେ ଲାଲବାଗଚାଙ୍କ ଦର୍ଶନ କରିବା ଅବସରରେ ଘୋଷଣା କରିଛନ୍ତି ।
ଗତକାଲି ରଣବୀର ଲାଲବାଗଚା ଗଣେଶଙ୍କ ଦର୍ଶନ କରିଛନ୍ତି । “ଧୁରନ୍ଧର” ଫିଲ୍ମ ସାରା ଦୁନିଆରେ ୩୦୦୦ କୋଟି ଟଙ୍କାର ବମ୍ପର ବ୍ୟବସାୟ କରିବା ପରେ ରଣବୀର ନିଜର ମନର ସଂକଳ୍ପକୁ ନେଇ ଖୁଲାସା କରିଛନ୍ତି । ରଣବୀର ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୫ ବର୍ଷର ସେବା ଏବଂ ଜନ୍ମ ଦିନ ଅବସରେ “ସେବା ସଂକଳ୍ପ ଅଭିଯାନ” ଆରମ୍ଭ ହୋଇଛି । ଏହି ଅବସରରେ ସେ ମଧ୍ୟ ଏକ ସଂକଳ୍ପ ନେଇଛନ୍ତି ଯେ ୧୦୦୦ ଆର୍ଥିକ ଅନଗ୍ରସର ଝିଅଙ୍କ ପାଠ ପଢ଼ା ଖର୍ଚ୍ଚ ବହନ କରିବେ ।
ରଣବୀର ଆହୁରି କହିଛନ୍ତି ଯେ ଗତ ବର୍ଷ ତାଙ୍କ ପରିବାରରେ ଅନେକ କିଛି ଘଟିଯାଇଛି । କିନ୍ତୁ ଗଣେଶଙ୍କ ଆଶୀର୍ବାଦ ଯୋଗୁଁ ସବୁ କିଛି ଠିକ୍ ହୋଇଯାଇଛି । ଏହା ଦ୍ୱାରା ଭଗବାନ ଗଣେଶଙ୍କର ତାଙ୍କର କୃପା ହେବ ଏବଂ ତାଙ୍କ ପରିବାର ଖୁସିରେ ରହିବ ବୋଲି ରଣବୀର ଆଶା ରଖିଛନ୍ତି ।
ଖାଲି ରଣବୀର ସିଂ ନୁହଁନ୍ତି ସେବା ସଂକଳ୍ପ ଅଭିଯାନରେ ଅନ୍ୟ ବଲିଉଡ୍ କଳାକାର ମଧ୍ୟ ଯୋଡ଼ି ହୋଇଛନ୍ତି । ଅଭିନେତ୍ରୀ ଆଲିୟା ଭଟ୍ଟ ୨୦ଟି ବିଦ୍ୟାଳୟର ପୁନଃନିର୍ମାଣ ପାଇଁ ସଂକଳ୍ପ ନେଇଛନ୍ତି ।ଆଲିଆ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ସେ ଏବଂ ରଣବୀର 'ସେବା ସଂକଳ୍ପ ଅଭିଯାନ'କୁ ସମର୍ଥନ କରୁଛନ୍ତି । ସେ କହିଛନ୍ତି ଯେ ସେ ମୁମ୍ବାଇର ୨୦ଟି ସ୍କୁଲକୁ ଉନ୍ନତ କରିବାକୁ ପ୍ରତିଜ୍ଞା କରୁଛନ୍ତି। ଏହାକୁ ଏପରି ଭାବରେ ନିର୍ମାଣ କରାଯିବ ଯେ ପିଲାମାନେ ସେମାନଙ୍କ ପାଠପଢ଼ା ଏବଂ ପ୍ରଗତି ପାଇଁ ଉତ୍ତମ ସୁବିଧା ପାଇପାରିବେ। ଏହି ପଦକ୍ଷେପ ବିଏମସିର ସୁପାରିଶ ଉପରେ ଆଧାରିତ ହେବ ।