ମୁମ୍ବାଇ: ବଲିଉଡ୍ ଭାଇଜାନ୍ ସଲମାନ ଖାନଙ୍କୁ ପୁଣି ଏକ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ । ମହାଭାରତର ଅନ୍ୟ ଏକ ଯୋଦ୍ଧା ‘କର୍ଣ୍ଣ’ ଭୂମିକାରେ ଖୁବ ଶୀଘ୍ର ନଜର ଆସିବେ ସଲମାନ । ଆସନ୍ତାବର୍ଷ ସଲମାନଙ୍କ ଏହି ନୂତନ ଚଳଚ୍ଚିତ୍ର ଆସିବାର ସମ୍ଭାବନା ରହିଛି ।
“ରଙ୍ଗ ଦେ ବସନ୍ତୀ” ନିର୍ଦ୍ଦେଶକ ରାକେଶ ଓମ୍ ପ୍ରକାଶ ମେହେରାଙ୍କ ସହିତ ସଲମାନ କାମ କରିବାକୁ ଯାଉଛନ୍ତି । ନିର୍ଦ୍ଦେଶକ ଓମ୍ ପ୍ରକାଶ ଏକ ଭିନ୍ନ ଧରଣର ଚଳଚ୍ଚିତ୍ର ସିନେ ଦର୍ଶକଙ୍କୁ ଭେଟି ଦେବାକୁ ଯାଉଛନ୍ତି । ଆଉ ଏଥିରେ ମୁଖ୍ୟ ଭୂମିକା ଗ୍ରହଣ କରିବେ ସଲମାନ । ସେ ଏଥିରେ କର୍ଣ୍ଣ ଭୂମିକା କରିବେ ବୋଲି ଚର୍ଚ୍ଚା ହେଉଛି ।
ସଲମାନ ଖାନ ପ୍ରଥମ ଥର ପାଇଁ ବଡ଼ ପରଦାରେ ଏକ ଐତିହାସିକ ଓ ପୌରାଣିକ ଚରିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି । ତାଙ୍କୁ 'କର୍ଣ୍ଣ' ଭୂମିକାରେ ତାଙ୍କୁ ଦେଖିବା ପାଇଁ ପ୍ରଶଂସକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଓ ଆଶା ରହିଛି । ତେବେ ଏ ନେଇ ନିର୍ଦ୍ଦେଶକ କିମ୍ବା ଫିଲ୍ମ ନିର୍ମାତାଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ସୂଚନା ପ୍ରଦାନ କରାଯାଇ ନାହିଁ ।
ସଲମାନ ଅପୂର୍ବ ଲଖିଆଙ୍କ ଚଳଚ୍ଚିତ୍ର “ମାତୃଭୂମି: ମେ ୱାର୍ ରେଷ୍ଟ ଇନ୍ ପିସ୍” ରେ ନଜର ଆସିବେ । ସେହିପରି ସେ ବଂଶୀ ପାଇଡିପଲିଙ୍କ ଚଳଚ୍ଚିତ୍ର ‘ମନଷ୍ଟର’ରେ ନୟନତାରାଙ୍କ ସହ ଯୋଡ଼ିଦାର ହେବେ । ଏଥିରେ ଏକ ଜବରଦସ୍ତ ଆକ୍ସନ୍ ଭୂମିକାରେ ଦେଖିବାକୁ ମିଳିବ।
ରାକେଶ ଓମ ପ୍ରକାଶ ମେହେରା ହିନ୍ଦୀ ସିନେମାର ଆଗ ଧାଡ଼ିର ନିର୍ଦ୍ଦେଶକଙ୍କ ମଧ୍ୟରୁ ଜଣେ । ସେ “ରଙ୍ଗ ଦେ ବସନ୍ତୀ”, “ଦିଲ୍ଲୀ -6”, “ଭାଗ ମିଲ୍ଖା ଭାଗ୍” ଏବଂ “ତୁଫାନ୍” ଭଳି ଅନେକ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଛନ୍ତି ।