ପାରାଦୀପ:ଆଜିଠୁ ଓଡ଼ିଶା ଉପକୂଳରେ ଆରମ୍ଭ ହେଉଛି ମେଗା ସମରାଭ୍ୟାସ ସାଗର କବଚ। ଉପକୂଳ ସୁରକ୍ଷା ପାଇଁ ସମୁଦ୍ର ତଟରେ ମିଳିତ ସମରଭ୍ୟାସ। ଜଳପଥରେ କେମିତି ଶତ୍ରୁଙ୍କୁ ମାତ୍ ଦିଆଯିବ । ଶତ୍ରୁ ପକ୍ଷରୁ ଆକ୍ରମଣ ହେଲେ କ’ଣ ରହିବ ରଣକୌଶଳ ।
ସୂଚନା ଅନୁଯାୟୀ ୨୬-୧୧ ମୁମ୍ବାଇ ଆକ୍ରମଣ ଘଟଣା ପରେ ଉପକୂଳବର୍ତ୍ତୀ ଅଞ୍ଚଳର ସୁରକ୍ଷା ପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷାକରି ପ୍ରତି ବର୍ଷ ଏହି ମିଳିତ ସମରାଭ୍ୟାସ କରାଯାଉଛି । ରେଡ୍ ଟିମ୍ ବନାମ ବ୍ଲୁ ଟିମ୍ । ସମୁଦ୍ରରେ ଶତ୍ରୁଙ୍କୁ ଶେଷ କରିଦେବାର ରଣକୌଶଳ । ସାଗରରୁ ସ୍ଥଳଭାଗ ପର୍ଯ୍ୟନ୍ତ କଡ଼ା ପହରା। ଜଳପଥରେ ଆତଙ୍କବାଦୀଙ୍କ ମୁକାବିଲା ପାଇଁ ସଜାଗ ଓଡ଼ିଶା । ଏଥିରେ ଭାରତୀୟ ନୌସେନା, କୋଷ୍ଟଗାର୍ଡ, ମେରାଇନ ପୋଲିସ, ମତ୍ସ୍ୟ ବିଭାଗ, କଷ୍ଟମ ବିଭାଗ, ପାରାଦୀପ ବନ୍ଦର, ବନ ବିଭାଗ, ଅଗ୍ନିଶମ ବିଭାଗ, ସିଆଇଏସଏଫ, ଇଣ୍ଟେଲିଜେନ୍ସ , ଓଡ଼ିଶା ପୋଲିସ ସମେତ ୧୮ରୁ ଉର୍ଦ୍ଧ୍ବ ବିଭାଗ ସାମିଲ ହୋଇଛନ୍ତି ।
ବିଭିନ୍ନ ବିଭାଗର କର୍ମଚାରୀମାନଙ୍କୁ ନେଇ ରେଡ୍ ଟିମ୍ ସମୁଦ୍ର ଜଳପଥ ଦେଇ ସ୍ଥଳ ଭାଗକୁ ପ୍ରବେଶ କରି ବିଭିନ୍ନ ଜନଗହଳି ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଆକ୍ରମଣ କରିବା ପାଇଁ ପ୍ରୟାସ କରିବେ ଏବଂ ବ୍ଲୁ ଟିମ୍ ସେମାନଙ୍କୁ ଧରିବା ପାଇଁ ପ୍ରୟାସ କରିବେ । ଏହାଦ୍ବାରା ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରାଯିବା ସହିତ ବାହ୍ୟ ଶତ୍ରୁଙ୍କ ମୁକାବିଲା କରିବା ପାଇଁ ଏହା ସହାୟକ ହେବ ।