ଭୁବନେଶ୍ୱର: ଓଡ଼ିଶାରେ ଖାଉଟିଙ୍କ ପକେଟ୍ ଉପରେ ବଢ଼ୁଛି ମହଙ୍ଗା ମାଡ଼। ଦରଦାମ୍ରେ ଲଗାତାର ବୃଦ୍ଧି ଯୋଗୁଁ ରାଜ୍ୟର ଖୁଚୁରା ମୁଦ୍ରାସ୍ଫୀତି ଅଗଷ୍ଟ ମାସରେ ୫.୫୨ ପ୍ରତିଶତକୁ ପହଞ୍ଚିଛି, ଯାହା ଜାତୀୟ ହାର ୪.୮୨ ପ୍ରତିଶତ ତୁଳନାରେ ୦.୭୦ ପ୍ରତିଶତ ଅଧିକ। ଏହା ସହ ଓଡ଼ିଶା ଦେଶର ପଞ୍ଚମ ମହଙ୍ଗା ବଜାର ଭାବେ ସ୍ଥାନ ପାଇଛି।
କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ଜୁଲାଇ ମାସରେ ରାଜ୍ୟର ମୁଦ୍ରାସ୍ଫୀତି ୪.୮୩ ପ୍ରତିଶତ ଥିବାବେଳେ ଅଗଷ୍ଟରେ ଏହା ୦.୬୯ ପ୍ରତିଶତ ବୃଦ୍ଧି ପାଇଛି। ଚଳିତ ବର୍ଷ ଜାନୁଆରିରେ ଏହି ହାର ୨.୯୫ ପ୍ରତିଶତ ଥିବାବେଳେ ଏବେ ସୁଦ୍ଧା ୧.୮୭ ପ୍ରତିଶତ ବୃଦ୍ଧି ହୋଇଛି, ଯାହା ଦେଶରେ ସର୍ବାଧିକ ବୃଦ୍ଧି ମଧ୍ୟରୁ ଗୋଟିଏ।
ସବୁଠାରୁ ଚିନ୍ତାର ବିଷୟ ହେଉଛି ଗ୍ରାମାଞ୍ଚଳର ସ୍ଥିତି। ରାଜ୍ୟର ଗ୍ରାମୀଣ ମୁଦ୍ରାସ୍ଫୀତି ୫.୯୦ ପ୍ରତିଶତ ଥିବାବେଳେ ସହରାଞ୍ଚଳରେ ଏହା ୪.୪୭ ପ୍ରତିଶତ ରହିଛି। ଅର୍ଥାତ୍ ଗ୍ରାମାଞ୍ଚଳର ଲୋକମାନେ ଦୈନନ୍ଦିନ ସାମଗ୍ରୀ ପାଇଁ ଅଧିକ ଦାମ୍ ଦେବାକୁ ବାଧ୍ୟ ହେଉଛନ୍ତି।
ମୁଦ୍ରାସ୍ଫୀତି ହାରରେ ତେଲେଙ୍ଗାନା (୬.୨୭%), ତାମିଲନାଡୁ (୫.୯୨%), ଆନ୍ଧ୍ରପ୍ରଦେଶ (୫.୫୩%) ଓ ମଧ୍ୟପ୍ରଦେଶ ପରେ ଓଡ଼ିଶା ରହିଛି। ବିଶେଷଜ୍ଞଙ୍କ ମତରେ, ଖାଦ୍ୟ ସାମଗ୍ରୀ ଓ ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଦରବୃଦ୍ଧି ଏହି ମୁଦ୍ରାସ୍ଫୀତିକୁ ଅଧିକ ପ୍ରଭାବିତ କରିଛି।