ବରଗଡ଼: ପାରିବାରିକ ଝଗଡ଼ାରୁ ଘଟିଲା ଭୟଙ୍କର ପରିଣାମ। ସ୍ୱାମୀଙ୍କ ମାଡ଼ରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି। ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଗଡ଼ତିଆ ଟିକ୍ରା ଗାଁରେ ଏଭଳି ଘଟଣା ଘଟିଛି। ମୃତ ମହିଳା ହେଲେ ଭାଗ୍ୟବତୀ ଖଡ଼ିଆ।
ସୂଚନା ଅନୁସାରେ, ଅମଲିପାଲି ଗ୍ରାମପଞ୍ଚାୟତ ଅଧୀନ ଗଡ଼ତିଆ ଟିକ୍ରା ଗାଁରେ ସୋମବାର ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଏହି ସମୟରେ ସ୍ୱାମୀ ରାଜକୁମାର ଖଡ଼ିଆ ତାଙ୍କ ସ୍ତ୍ରୀ ଭାଗ୍ୟବତୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଗୁରୁତର ଆହତ ହୋଇ ଭାଗ୍ୟବତୀଙ୍କ ମୃତ୍ୟୁ ଘଟିଥିବା ପୁଲିସ କହିଛି।
ଘଟଣା ସମ୍ପର୍କରେ ଖବର ପାଇ ଅତାବିରା ପୁଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ସ୍ୱାମୀ ରାଜକୁମାର ଖଡ଼ିଆଙ୍କୁ ପୁଲିସ ଗିରଫ କରି ପଚରାଉଚରା କରୁଛି। ତେବେ ହତ୍ୟା ପଛର ପ୍ରକୃତ କାରଣ କଣ, ତାହା ଏବେ ସ୍ପଷ୍ଟ ହୋଇନାହିଁ।
ପୁଲିସ ଘଟଣାସ୍ଥଳରୁ ଆବଶ୍ୟକ ପ୍ରମାଣ ସଂଗ୍ରହ କରିବା ସହ ପରିବାର ସଦସ୍ୟ ଓ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଛି। ତଦନ୍ତ ଆଗକୁ ବଢ଼ିବା ପରେ ଘଟଣାର ପ୍ରକୃତ କାରଣ ଓ ହତ୍ୟାର ପୂରା ଘଟଣାକ୍ରମ ସାମ୍ନାକୁ ଆସିବ ବୋଲି ପୁଲିସ କହିଛି।
ଏହି ଘଟଣା ପରେ ଗଡ଼ତିଆ ଟିକ୍ରା ଗାଁରେ ଶୋକର ଛାୟା ଖେଳିଯାଇଛି। ପାରିବାରିକ କଳହରୁ ଏଭଳି ଚରମ ପରିଣତିକୁ ନେଇ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି।