ବୌଦ୍ଧ: ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ପ୍ରାଣର ପର୍ବ ନୂଆଖାଇ। ଆଉ ତା’ ପୂର୍ବଦିନ ଆଜି ଉତ୍ସବର ରଙ୍ଗରେ ରଙ୍ଗିନ ହୋଇଉଠିଛି ହାଟବଜାର। ବୌଦ୍ଧ ଜିଲ୍ଲାର ମନମୁଣ୍ଡାରେ ବସିଛି ସ୍ୱତନ୍ତ୍ର ନୂଆଁଖାଇ ତିହାରୀ ହାଟ, ଯେଉଁଠି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଲାଗିରହିଛି କିଣାକିଣିର ଭିଡ଼।
କି ହେଉ ଧନୀ, କି ଗରିବ ସମସ୍ତଙ୍କ ମନରେ ଏବେ ଗୋଟିଏ ଖୁସି, ନୂଆଖାଇ। ସପ୍ତାହେ ପୂର୍ବରୁ ଆରମ୍ଭ ହୋଇଥିବା ପ୍ରସ୍ତୁତି ଆଜି ଚରମରେ ପହଞ୍ଚିଛି। ଘରେ ଘରେ ନୂଆ ଅନ୍ନକୁ ସ୍ୱାଗତ କରିବା ପାଇଁ ଦରକାରୀ ସାମଗ୍ରୀ କିଣିବାକୁ ଲୋକେ ତିହାରୀ ହାଟରେ ଭିଡ଼ ଜମାଇଛନ୍ତି। ହାଣ୍ଡି, ସରାଇ, ମାଟି ପାତ୍ର, ତୁନଶାଗ, ତାଜା ପନିପରିବା ଓ ପୂଜା ସାମଗ୍ରୀରେ ହାଟ ପୂରା ଜୀବନ୍ତ ହୋଇଉଠିଛି।
ନୂଆଖାଇ ପଶ୍ଚିମ ଓଡ଼ିଶାର କେବଳ ଏକ ଗଣପର୍ବ ନୁହେଁ, ଏହା ହେଉଛି ଚାଷୀର ପରିଶ୍ରମ, ନୂଆ ଧାନର ଆନନ୍ଦ ଓ ପରିବାରର ମିଳନର ପ୍ରତୀକ। ପରମ୍ପରା ଅନୁଯାୟୀ, ନୂଆ ଧାନରୁ ପ୍ରସ୍ତୁତ ନବାନ୍ନ ପ୍ରଥମେ ଇଷ୍ଟଦେବୀଙ୍କୁ ଅର୍ପଣ କରାଯାଏ। ଏହା ପରେ ପରିବାରର ସମସ୍ତେ ଏକାଠି ବସି ନୂଆ ଅନ୍ନ ଗ୍ରହଣ କରିବା ସହ ପରସ୍ପରକୁ “ନୂଆଖାଇ ଜୁହାର” ଜଣାଇଥାନ୍ତି।