ସମ୍ବଲପୁର: ନୂଆଖାଇ ପାଳିବାକୁ ଘରକୁ ଫେରୁଥିଲେ ପରିବାର। ହେଲେ ଉତ୍ସବର ଖୁସି ପୂର୍ବରୁ ବାଟରେ ଜଗି ବସିଥିଲା ମୃତ୍ୟୁ। ସମ୍ବଲପୁର ଜିଲ୍ଲା ଠେଲକୋଲୋଇ ଥାନା ଅନ୍ତର୍ଗତ ଖିଣ୍ଡା ନିକଟରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମାଆ ଓ ଶିଶୁପୁଅଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଗୁରୁତର ଆହତ ବାପାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ଝାରସୁଗୁଡ଼ା ଜିଲ୍ଲା ଲଖନପୁରର ଏହି ଦମ୍ପତି ତାଙ୍କ ଶିଶୁପୁଅଙ୍କୁ ସାଙ୍ଗରେ ନେଇ ବାଇକରେ ନୂଆଁଖାଇ ପାଳନ କରିବାକୁ ଘରକୁ ଯାଉଥିଲେ। ସେହି ସମୟରେ ଖିଣ୍ଡା ନିକଟରେ ପଛପଟୁ ଏକ ଦ୍ରୁତଗତି ଟ୍ରକ ବାଇକକୁ ଜୋରଦାର ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ମାଆ ଓ ଶିଶୁପୁଅଙ୍କର ଘଟଣାସ୍ଥଳରେ ପ୍ରାଣହାନି ଘଟିଥିଲା।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। କ୍ଷୁବ୍ଧ ଲୋକେ ଝାରସୁଗୁଡ଼ା–ସମ୍ବଲପୁର ୧୦ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଫଳରେ ଉଭୟ ପାର୍ଶ୍ୱରେ ଦୀର୍ଘ ସମୟ ଧରି ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ଓ ରାଜପଥରେ ଗାଡ଼ିର ଲମ୍ବା ଧାଡ଼ି ଲାଗି ରହିଥିଲା।
ଖବର ପାଇ ଠେଲକୋଲୋଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ସେହିସହ ଦୁର୍ଘଟଣାର କାରଣ ଓ ଟ୍ରକ ଚାଳକଙ୍କ ସମ୍ପର୍କରେ ତଦନ୍ତ ଆରମ୍ଭ କରାଯାଇଛି। ନୂଆଁଖାଇ ପୂର୍ବରୁ ଘଟିଥିବା ଏହି ଅଘଟଣା ସମଗ୍ର ଅଞ୍ଚଳକୁ ଶୋକାକୁଳ କରିଦେଇଛି।