କଟକ: ଋଣ ନମିଳିବାର ରାଗରୁ ଘଟିଲା ସିନେମା ଷ୍ଟାଇଲ ଅପହରଣ। କଟକର ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ଘରୁ ଡାକି କାରରେ ଉଠାଇ ନେଇ ବାଲେଶ୍ୱରରେ ବନ୍ଦୀ କରି ରଖିଥିଲେ ଦୁର୍ବୃତ୍ତ। ତେବେ ମଧୁପାଟଣା ପୋଲିସର ତ୍ୱରିତ ଅଭିଯାନରେ ଅପହୃତ ବ୍ୟାଙ୍କ ଅଧିକାରୀ ମନୋଜ କୁମାର ସାହୁଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଏହି ଘଟଣାରେ ବାଲେଶ୍ୱର ଜିଲ୍ଲାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।
ଗିରଫ ଅଭିଯୁକ୍ତମାନେ ହେଲେ ବସ୍ତା ଥାନା ଅଧୀନ ଗମ୍ଭାରୀ ଗାଁର ରାମଚନ୍ଦ୍ର ଦାସ ଓ ସିଙ୍ଗଲା ଥାନା ଅଞ୍ଚଳର ରାଜକୁମାର ସାହୁ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଦୁହେଁ ପୂର୍ବରୁ ମନୋଜଙ୍କ ବ୍ୟାଙ୍କରେ ଆକାଉଣ୍ଟ ଖୋଲିଥିଲେ ଓ ଋଣ ପାଇବାର ଆଶା ରଖିଥିଲେ। କିନ୍ତୁ ଋଣ ମଞ୍ଜୁର ନହେବାରୁ ପ୍ରତିଶୋଧ ନେବା ପାଇଁ ସେମାନେ ଅପହରଣର ଷଡ଼ଯନ୍ତ୍ର କରିଥିଲେ।
ସୂଚନା ଅନୁସାରେ, ମନୋଜ କୁମାର ସାହୁଙ୍କୁ ଘରୁ ଡାକି ଏକ କାରରେ ବସାଇ ଜବରଦସ୍ତି ବାଲେଶ୍ୱର ନେଇଯାଇଥିଲେ ଅଭିଯୁକ୍ତମାନେ। ସ୍ୱାମୀ ନିଖୋଜ ହେବା ପରେ ତାଙ୍କ ପତ୍ନୀ ମଧୁପାଟଣା ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।
ଅପହରଣ ପରେ ଦୁର୍ବୃତ୍ତମାନେ ମନୋଜଙ୍କ ପତ୍ନୀଙ୍କୁ ଫୋନ କରି ମୁକ୍ତିପଣ ଦାବି କରିଥିଲେ। ଟଙ୍କା ଦେଲେ ମନୋଜଙ୍କୁ ଛାଡ଼ିଦେବେ ବୋଲି ଧମକ ମଧ୍ୟ ଦେଇଥିଲେ। କଲ୍ ଡିଟେଲ୍ସ ଓ ଟେକ୍ନିକାଲ ତଦନ୍ତ ଆଧାରରେ ପୋଲିସ ବାଲେଶ୍ୱରରେ ଚଢ଼ାଉ କରି ଅପହୃତ ଅଧିକାରୀଙ୍କୁ ଉଦ୍ଧାର କରିବା ସହ ଦୁଇ ଅଭିଯୁକ୍ତଙ୍କୁ କାବୁ କରିଛି। ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଥିବା ବେଳେ ଅପହରଣରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ଖୋଳତାଡ଼ ଜାରି ରହିଛି।