ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ ବ୍ରିକ୍ସ (BRICS) ଶିଖର ସମ୍ମିଳନୀ ସଫଳତାର ସହ ଶେଷ ହୋଇଛି ଏବଂ ବିଦେଶୀ ରାଷ୍ଟ୍ରମୁଖ୍ୟମାନେ ନିଜ ନିଜ ଦେଶକୁ ଫେରିଛନ୍ତି।
ଆୟୋଜିତ ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ୧୫ ଜଣ ରାଷ୍ଟ୍ରନେତାଙ୍କ ସହ ଦ୍ବିପାକ୍ଷିକ ବୈଠକ କରିଛନ୍ତି। ଗତ ୩ ଦିନ ଧରି ଚାଲିଥିବା ଏହି କୂଟନୈତିକ ମାରାଥନ ବୈଠକରେ ବାଣିଜ୍ୟ, ନିବେଶ, ପ୍ରତିରକ୍ଷା, ଶକ୍ତି, ପ୍ରଯୁକ୍ତିବିଦ୍ୟା ଏବଂ ଆଞ୍ଚଳିକ ସୁରକ୍ଷା ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି।
ପ୍ରଧାନମନ୍ତ୍ରୀ ମୋଦୀ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗ, ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ଏବଂ ଆବୁଧାବିର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ଜାୟେଦ ଅଲ ନାହୟାନଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି। ଏହା ବ୍ୟତୀତ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା, ଇଜିପ୍ଟ ରାଷ୍ଟ୍ରପତି ଅବଦେଲ ଫତାହ ଅଲ-ସିସି, ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ, ଫିଲିପାଇନ୍ସ ରାଷ୍ଟ୍ରପତି ଫର୍ଡିନାଣ୍ଡ ମାର୍କୋସ ଜୁନିୟର, କାଜାଖସ୍ତାନ ରାଷ୍ଟ୍ରପତି ଏବଂ ଇଣ୍ଡୋନେସିଆ, ଭିଏତନାମ, ଉଗାଣ୍ଡା ଓ ନାଇଜେରିଆ ଆଦି ଦେଶର ନେତାମାନେ ମଧ୍ଯ ଏହି ଦ୍ବିପାକ୍ଷିକ ଆଲୋଚନାରେ ସାମିଲ ଥିଲେ।
ଏହି ବୈଠକଗୁଡ଼ିକରେ ମୁଖ୍ୟତଃ ଦ୍ବିପାକ୍ଷିକ ସମ୍ପର୍କକୁ ମଜବୁତ କରିବା, ଗ୍ଲୋବାଲ ସପ୍ଲାଇ ଚେନ୍, ପଶ୍ଚିମ ଏସିଆର ସ୍ଥିତି, ସାମୁଦ୍ରିକ ସୁରକ୍ଷା ଏବଂ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଅର୍ଥନୈତିକ ସହଯୋଗ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି।
ସେହିପରି ଭାରତର ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ 'ନୂଆଦିଲ୍ଲୀ ଘୋଷଣାନାମା ୨୦୨୬' (New Delhi Declaration 2026) ସର୍ବସମ୍ମତି କ୍ରମେ ଗୃହୀତ ହୋଇଛି, ଯାହାକୁ ଭାରତ ପାଇଁ ଏକ ବଡ଼ କୂଟନୈତିକ ସଫଳତା ବୋଲି କୁହାଯାଉଛି । ଏଥିସହ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ଆସନ ପାଇଁ ଭାରତର ଦାବିକୁ ବ୍ରିକ୍ସ ମଞ୍ଚରେ ବଢ଼ିଲା ସମର୍ଥନ । UNSCରେ ସଂସ୍କାର ଆଣିବା ନେଇ BRICS ଦେଶଗୁଡ଼ିକ ମଧ୍ୟରେ ଯେଉଁ ସହମତି ଦେଖାଯାଇଛି, ତାହା ଭାରତ ପାଇଁ ଏକ ବଡ଼ କୂଟନୈତିକ ସଫଳତା ବୋଲି ଦେଖାଯାଉଛି। ଭାରତ ଦୀର୍ଘ ଦିନ ଧରି UNSCରେ ସ୍ଥାୟୀ ସଦସ୍ୟ ପାଇଁ ଦାବି କରିଆସୁଛି।