ମୟୁରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ଅନ୍ତର୍ଗତ ବଗଡିହା ଛକ ନିକଟରେ ଆଜି ଏକ ଅଭାବନୀୟ ତଥା ରକ୍ତାକ୍ତ କାଣ୍ଡ ଘଟିଯାଇଛି। ଜଣେ ସ୍ୱାମୀ ନିଜ ସ୍ତ୍ରୀର ବେକକୁ ଏକ ଧାରୁଆ ଛୁରୀରେ କାଟି ହତ୍ୟା ଉଦ୍ୟମ କରିଛି।
ସୂଚନା ଅନୁଯାୟୀ, ଶୂଳିଆପଦା ଥାନା ଅନ୍ତର୍ଗତ ଗଉଡୁଣୀ ଡୁବା ଗ୍ରାମର ଗୁରା ନାଏକଙ୍କ ୪୫ ବର୍ଷୀୟ ପୁଅ କଟିଆ ନାୟକ ଓ ତାଙ୍କ ସ୍ତ୍ରୀ ସୁକାନ୍ତି ନାଏକ ବଗଡିହା ଛକ ନିକଟରେ ବସି କଥାବାର୍ତ୍ତା ହେଉଥିବା ବେଳେ କୌଣସି କାରଣକୁ ନେଇ ହଠାତ୍ କଟିଆ ଉତକ୍ଷିପ୍ତ ହୋଇ ଧାରୁଆ ଅସ୍ତ୍ରରେ ସ୍ତ୍ରୀଙ୍କ ବେକକୁ କାଟି ଦେଇଥିଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସୁକାନ୍ତି ପ୍ରାଣ ବିକଳରେ ଚିତ୍କାର କରି ସ୍ଥାନୀୟ ଲୋକଙ୍କ ନିକଟକୁ ଦୌଡ଼ି ଆସି ଜୀବନ ବଞ୍ଚାଇବାକୁ ନେହୁରା ହୋଇଥିଲେ। ପ୍ରତ୍ୟକ୍ଷଦର୍ଶୀମାନେ ତୁରନ୍ତ ତାଙ୍କ ବେକରେ ଚାଦର ବାନ୍ଧି ରକ୍ତସ୍ରାବ ରୋକିବା ସହ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଯେଉଁଠାରେ ତାଙ୍କର ଚିକିତ୍ସା ଜାରି ରହିଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ଅଭିଯୁକ୍ତ ସ୍ୱାମୀଙ୍କୁ ଅଟକ ରଖିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି।