ଭୁବନେଶ୍ୱର : ଜୟଦେବ ବିହାର ଅଞ୍ଚଳରେ ଥିବା ଏକ ଲେଡିଜ୍ ହଷ୍ଟେଲରେ ଜଣେ ଯୁବତୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।
ପ୍ରାଥମିକ ସୂଚନା ଅନୁଯାୟୀ ଜୟଦେବ ବିହାର ଲେନ୍-୭ରେ ଥିବା ଏକ ହଷ୍ଟେଲ୍ରେ ଭଡ଼ା ବିବାଦ ଏବଂ ହଷ୍ଟେଲ ମାଲିକାନାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଛି। ହଷ୍ଟେଲ ମାଲିକାଣୀ ପ୍ରିୟମ୍ବଦା ମହାନ୍ତି ଓ ତାଙ୍କ ସହଯୋଗୀମାନେ ହଷ୍ଟେଲ ଭିତରେ ପଶି ଛାତ୍ରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣ ଯୋଗୁଁ ଜଣେ ଯୁବତୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି।
ହଷ୍ଟେଲରେ ରହୁଥିବା ଅନ୍ତେବାସୀଙ୍କ କହିବା ଅନୁସାରେ, ସେମାନଙ୍କୁ ରାତାରାତି ହଷ୍ଟେଲ ଖାଲି କରିବାକୁ ଧମକ ଦିଆଯିବା ସହ ପାଣି ଓ ବିଦ୍ୟୁତ ସଂଯୋଗ ମଧ୍ୟ କାଟି ଦିଆଯାଇଥିଲା। ଏପରିକି ରୁମ୍ଗୁଡ଼ିକୁ ବାହାରୁ ତାଲା ପକାଇ ଦିଆଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି।ଆହତ ଯୁବତୀଙ୍କୁ ପୋଲିସ ଉଦ୍ଧାର କରିଛି । ନୟାପଲ୍ଲୀ ଥାନାରେ ଏତଲା ପରେ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କଲା ପୋଲିସ।