ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ୫ଟି ଓରାଙ୍ଗଉଟାନ ଉଦ୍ଧାର ହେବା ଘଟଣାରେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର ଜାରି ରଖିଛି କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ । ଏହି ଆନ୍ତର୍ଜାତିକ ବନ୍ୟଜନ୍ତୁ ଚୋରାଚାଲାଣ ମାମଲାର ଚେର ଏବେ ପଡ଼ୋଶୀ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଲମ୍ବିଥିବା ସ୍ପଷ୍ଟ ହୋଇଛି । ଏହି ଘଟଣାରେ ମୁଖ୍ୟ ସନ୍ଦିଗ୍ଧ ଭାବେ ଚିହ୍ନଟ ହେଇଥିବା ପଶ୍ଚିମବଙ୍ଗ ଦୀଘାର ଜଣେ ହୋଟେଲ ମାଲିକ ଓ ତାଙ୍କ ପୁଅଙ୍କ ଫଟୋ ଏବେ ତଦନ୍ତକାରୀ ସଂସ୍ଥାର ହସ୍ତଗତ ହୋଇଛି । ସେମାନଙ୍କୁ ଧରିବା ପାଇଁ ଏସଟିଏଫର ଏକ ସ୍ୱତନ୍ତ୍ର ଟିମ୍ ହାଉଡ଼ା ଓ ବିଭିନ୍ନ ସ୍ଥାନରେ ଛାନଭିନ୍ ଜାରି ରଖିଛି ।
ସୂଚନା ଅନୁଯାୟୀ, ଅଭିଯୁକ୍ତ ହୋଟେଲ ମାଲିକଙ୍କ ନାମ ହେଉଛି ଜୟନ୍ତ ମାଈତି । ତାଙ୍କର ପ୍ରକୃତ ଘର ପଶ୍ଚିମବଙ୍ଗ ହାଉଡ଼ା ଜିଲ୍ଲାର ଆନ୍ଦୋଳ ଅଞ୍ଚଳରେ ହୋଇଥିବା ବେଳେ, ସେ ଦୀଘାଠାରେ ‘ଗ୍ରାଣ୍ଡ ହେରିଟେଜ୍’ ନାମକ ଏକ ବିଳାସପୂର୍ଣ୍ଣ ହୋଟେଲ ମାଲିକ ଅଟନ୍ତି । ଓରାଙ୍ଗଉଟାନ ଉଦ୍ଧାର ଘଟଣା ପରେ ଚୋରାଚାଲାଣର ଲିଙ୍କ୍ ଖୋଜି ଖୋଜି ଏସଟିଏଫ୍ ଟିମ୍ ଦୀଘାସ୍ଥିତ ଉକ୍ତ ହୋଟେଲ ଉପରେ ଚଢ଼ାଉ କରିବାକୁ ଯୋଜନା କରିଥିଲା । ତେବେ ପୋଲିସର ଏହି ଚଢ଼ାଉ ଖବର କୌଣସି ସୂତ୍ରରୁ ପାଇବା ପରେ ଗତ ୧୦ ତାରିଖ ରାତିରୁ ହିଁ ଉଭୟ ବାପା ଓ ପୁଅ ହୋଟେଲ ଛାଡ଼ି ଫେରାର ହୋଇଯାଇଛନ୍ତି । ବର୍ତ୍ତମାନ ଏସଟିଏଫ୍ ଟିମ୍ ହାୱଡା ସ୍ଥିତ ଜୟନ୍ତଙ୍କ ବାସଭବନରେ ପହଞ୍ଚି ଖୋଳତାଡ଼ ଅଭିଯାନ ଜାରି ରଖିଥିବା ଜଣାପଡ଼ିଛି ।
ଅନ୍ୟପକ୍ଷରେ, ବାପା-ପୁଅଙ୍କର ଏଭଳି ରାତାରାତି ଫେରାର ହୋଇଯିବା ଘଟଣା ସେମାନଙ୍କ ଉପରେ ଥିବା ସନ୍ଦେହକୁ ଅଧିକ ଘନୀଭୂତ କରିଛି । ଯଦି ଏହି ବିରଳ ବନ୍ୟପ୍ରାଣୀ ଚାଲାଣରେ ସେମାନଙ୍କର କୌଣସି ସମ୍ପୃକ୍ତି ନଥିଲା, ତେବେ ଏସଟିଏଫ୍ ଚଢ଼ାଉ ଖବର ପାଇ ସେମାନେ ଲୁଚିଛନ୍ତି କାହିଁକି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ପୋଲିସର ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି ଯେ, ଏହି ବାପା-ପୁଅଙ୍କର କୌଣସି ବଡ଼ ଅନ୍ତର୍ଜାତୀୟ ବନ୍ୟଜୀବ ତସ୍କରୀ ରାକେଟ୍ ସହିତ ସିଧାସଳଖ ସମ୍ପର୍କ ଥାଇପାରେ । ସମ୍ଭବତଃ ଦୀଘାରେ ଥିବା ତାଙ୍କର ହୋଟେଲକୁ ଏହି ବେଆଇନ କାରବାର ପାଇଁ ଏକ ସୁରକ୍ଷିତ ଟ୍ରାଞ୍ଜିଟ୍ ପଏଣ୍ଟ ଭାବେ ବ୍ୟବହାର କରାଯାଉଥିଲା । ଯେତେ ଶୀଘ୍ର ଫେରାର ବାପା ଓ ପୁଅ ପୋଲିସ ହାତରେ ଧରାପଡ଼ିବେ, ସେତେ ଶୀଘ୍ର ଏହି ବିରଳ ବନ୍ୟପ୍ରାଣୀ ଚାଲାଣର ସମ୍ପୂର୍ଣ୍ଣ ରହସ୍ୟ ଜଣାପଡିବ । ଓରାଙ୍ଗଉଟାନଗୁଡ଼ିକୁ କେଉଁ ଦେଶରୁ ଅଣାଯାଇଥିଲା, ସେମାନଙ୍କର ଅନ୍ତିମ ଗନ୍ତବ୍ୟସ୍ଥଳ କେଉଁଠି ଥିଲା ଏବଂ ଏହି ନେଟୱର୍କରେ ଆଉ କିଏ ସାମିଲ ଅଛନ୍ତି, ତାହା ଅଭିଯୁକ୍ତଙ୍କ ଗିରଫଦାରୀ ପରେ ହିଁ ସ୍ପଷ୍ଟ ହୋଇପାରିବ ।