ଆନନ୍ଦପୁର: କାର୍ଯ୍ୟାଳୟର ଛାତ ଉପରକୁ ଚଢ଼ି ନିଜ ଦେହରେ ନିଆଁ ଲଗାଇଦେବାକୁ ଧମକ ଦେଲେ ଅଗ୍ନିଶମ ବିଭାଗର ଜଣେ କର୍ମଚାରୀ। ସହକର୍ମୀଙ୍କ ତତ୍ପରତା ଯୋଗୁଁ ଏକ ବଡ଼ ଅଘଟଣ ଟଳିଯାଇଛି। ଘଟଣାଟି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଶାଳପଡ଼ା ଅଗ୍ନିଶମ କାର୍ଯ୍ୟାଳୟରେ ଘଟିଛି।
ଅଭିଯୋଗ ଅନୁଯାୟୀ, ଅଗ୍ନିଶମ କର୍ମଚାରୀ ହେମାନନ୍ଦ ଦେହୁରୀ ଶନିବାର ହଠାତ୍ ତିନି ମହଲା କାର୍ଯ୍ୟାଳୟର ଛାତ ଉପରକୁ ଚଢ଼ି ଆତ୍ମାହୁତି ଦେବାକୁ ଧମକ ଦେଇଥିଲେ। ଏହା ଦେଖି କାର୍ଯ୍ୟାଳୟରେ ଉପସ୍ଥିତ ଅନ୍ୟ କର୍ମଚାରୀମାନେ ତୁରନ୍ତ ତାଙ୍କୁ ବୁଝାସୁଝା କରି ସୁରକ୍ଷିତ ଭାବେ ତଳକୁ ଆଣିଥିଲେ।
ତଳକୁ ଆସିବା ପରେ ହେମାନନ୍ଦ ଦେହୁରୀ ବରିଷ୍ଠ ଅଧିକାରୀ ସୂର୍ଯ୍ୟ ହେମ୍ବ୍ରମଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ତାଙ୍କ କହିବା ଅନୁସାରେ, ଦୀର୍ଘଦିନ ଧରି ମାନସିକ ଚାପ ଓ ହଇରାଣର ଶିକାର ହେଉଥିବାରୁ ସେ ସ୍ୱାଭାବିକ ଭାବେ କାମ କରିପାରୁନାହାନ୍ତି। ପୂର୍ବତନ ଅଧିକାରୀଙ୍କ ସମୟରେ କାର୍ଯ୍ୟ ପରିବେଶ ଭଲ ଥିଲା, କିନ୍ତୁ ବର୍ତ୍ତମାନ ଅସହ୍ୟ ମାନସିକ ଚାପରେ ସେ ଏଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିବା ଦାବି କରିଛନ୍ତି।
ହେମାନନ୍ଦଙ୍କ ଅଭିଯୋଗ ହେଲା, କାର୍ଯ୍ୟାଳୟର ପରିବେଶକୁ ନେଇ ସେ ପୂର୍ବରୁ ମଧ୍ୟ ଅନେକଥର ଅସନ୍ତୋଷ ପ୍ରକାଶ କରିଥିଲେ। ଯଦି ତାଙ୍କ ସମସ୍ୟାର ସମାଧାନ ନ ହୁଏ, ତେବେ ସେ ଆଗକୁ ଆହୁରି ଚରମ ପଦକ୍ଷେପ ନେଇପାରନ୍ତି ବୋଲି ସତର୍କ କରିଛନ୍ତି।
ତେବେ ସୂର୍ଯ୍ୟ ହେମ୍ବ୍ରମଙ୍କ ବିରୋଧରେ ଆସିଥିବା ଏହି ଅଭିଯୋଗର ସ୍ୱାଧୀନ ସତ୍ୟତା ତୁରନ୍ତ ଯାଞ୍ଚ ହୋଇପାରିନାହିଁ। ଏପର୍ଯ୍ୟନ୍ତ ହେମାନନ୍ଦ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ କୌଣସି ଲିଖିତ ଅଭିଯୋଗ କରିଛନ୍ତି କି ନାହିଁ, ସେନେଇ ମଧ୍ୟ ସ୍ପଷ୍ଟ ସୂଚନା ମିଳିନାହିଁ। ଘଟଣାର ତଦନ୍ତ ଆରମ୍ଭ ହେବ କି ନାହିଁ, ସେନେଇ ବିଭାଗୀୟ ପ୍ରତିକ୍ରିୟାକୁ ଅପେକ୍ଷା କରାଯାଇଛି।