ଭୁବନେଶ୍ୱର : ଆଗାମୀ ୧୫ ସେପ୍ଟେମ୍ବରରୁ ଓଡ଼ିଶାରେ ପୁଣି ଥରେ ପ୍ରବଳ ବର୍ଷା ଫେରିବାର ସମ୍ଭାବନା ରହିଛି। ଲଗାଣ ବର୍ଷାରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିବା ବେଳେ, ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ଦୁଇ ଦିନ (୧୩ ଓ ୧୪ ତାରିଖ) ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ଓ ବିଜୁଳି ସହ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ।
ଦୁଇ ଦିନ ପରେ ବଙ୍ଗୋପସାଗରରେ ଏକ ନୂଆ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବାରୁ, ୧୫ ତାରିଖରୁ ବର୍ଷାର ପରିମାଣ ଯଥେଷ୍ଟ ବୃଦ୍ଧି ପାଇବ। ଏଥିପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ସେପ୍ଟେମ୍ବର ୧୫, ୧୬ ଏବଂ ୧୭ ତାରିଖ ପାଇଁ ଭାରୀ ବର୍ଷାର ସତର୍କ ସୂଚନା ଜାରି କରାଯାଇଛି। ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଏବଂ ବିଜୁଳି ମାରିବାର ଆଶଙ୍କା ମଧ୍ୟ ରହିଛି।
ତେବେ ଆସନ୍ତା ଦୁଇ ଦିନ ପାଇଁ ପାଣିପାଗ ବିଭାଗ ପକ୍ଷରୁ କାଳବୈଶାଖୀ ଓ ବିଜୁଳି ଘଡ଼ଘଡ଼ି ଆଶଙ୍କା କରି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଖୋର୍ଦ୍ଧା, କଟକ, ପୁରୀ, ବାଲେଶ୍ୱର, ଭଦ୍ରକ ଏବଂ ମୟୂରଭଞ୍ଜ ସମେତ ଉପକୂଳ ତଥା ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲ୍ଲାରେ ଏହି ସମୟ ମଧ୍ୟରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ବିଶେଷକରି ଚାଷୀ ଏବଂ ଖୋଲା ସ୍ଥାନରେ କାମ କରୁଥିବା ଲୋକଙ୍କୁ ବିଜୁଳି ମାରିବା ସମୟରେ ନିରାପଦ ସ୍ଥାନରେ ଆଶ୍ରୟ ନେବାକୁ କୁହାଯାଇଛି।ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଉପୁଜିବା ସହ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହେବାର ଆଶଙ୍କା ଥିବାରୁ ଜନସାଧାରଣଙ୍କୁ ସତର୍କ ରହିବାକୁ କୁହାଯାଇଛି। ତା’ ସହିତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ବାରଣ କରାଯାଇଛି।