ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ପରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଏବେ ଧୀରେ ଧୀରେ ସ୍ୱାଭାବିକ ହେବାକୁ ଲାଗିଛି। ବନ୍ୟାକ୍ଷତ ଅଞ୍ଚଳରେ ପାଣି ସ୍ତର କମିବା ଆରମ୍ଭ ହୋଇଥିବା ବେଳେ ଶନିବାର ରାତି ଓ ରବିବାର ସକାଳ ସୁଦ୍ଧା ସ୍ଥିତି ଆହୁରି ଉନ୍ନତି ହେବ ବୋଲି ଜଳ ସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ଦିଲ୍ଲୀପ କୁମାର ରାଉତ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଦକ୍ଷିଣ ଓଡ଼ିଶାରେ ଚଳିତ ବର୍ଷ ସାମଗ୍ରିକ ଭାବେ ବର୍ଷା କମ୍ ହୋଇଥିଲେ ମଧ୍ୟ ଦୁଇଟି ଲଘୁଚାପ ପ୍ରଭାବରେ ଅତି ପ୍ରବଳ ବର୍ଷା ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଅଗଷ୍ଟ ୨୫ ତାରିଖରେ ରାୟଗଡ଼ା ଓ ଗଜପତିରେ ଫ୍ଲାସ୍ ବନ୍ୟା ଦେଖାଦେଇଥିଲା। ଦ୍ୱିତୀୟ ଲଘୁଚାପର ପ୍ରଭାବ ସବୁଠାରୁ ଅଧିକ ମାଲକାନଗିରିରେ ପଡ଼ିଥିଲା, ଯାହା ଫଳରେ ଅନେକ ଅଞ୍ଚଳ ଜଳମଗ୍ନ ହୋଇଯାଇଥିଲା।
ଗତ ଶୁକ୍ରବାର ସକାଳରୁ ଶନିବାର ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟାରେ ମାଲକାନଗିରି ଜିଲ୍ଲାରେ ଅତି ପ୍ରବଳ ବର୍ଷା ରେକର୍ଡ ହୋଇଛି। ମାଲକାନଗିରିରେ ୧୯୨ ମିଲିମିଟର, ଚିତ୍ରକୋଣ୍ଡାରେ ୧୯୨ ମିଲିମିଟର, ଖଇରପୁଟରେ ୧୪୨ ମିଲିମିଟର ଏବଂ କୋରୁକୋଣ୍ଡାରେ ୧୩୪ ମିଲିମିଟର ବର୍ଷା ହୋଇଛି। ବାଲିମେଳା ଜଳଭଣ୍ଡାର ଅଞ୍ଚଳରେ ସର୍ବାଧିକ ୨୧୯ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ପଡ଼ୋଶୀ ନବରଙ୍ଗପୁରର ଡାବୁଗାଁରେ ୧୩୫ ମିଲିମିଟର ବର୍ଷା ହୋଇଛି।
ଅନ୍ୟପଟେ ଯାଜପୁର ଓ ପୁରୀ ଭଳି ଜିଲ୍ଲାରେ ବର୍ଷାର ପ୍ରଭାବ ତୁଳନାମୂଳକ କମ୍ ରହିଥିବା ବେଳେ ଦକ୍ଷିଣ ଓଡ଼ିଶାର ବାଲିମେଳା ଅଞ୍ଚଳ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା।
ବର୍ତ୍ତମାନ ବର୍ଷାର ତୀବ୍ରତା କମିଥିବାରୁ ନଦୀ ଓ ଜଳାଶୟର ଜଳସ୍ତର ଧୀରେ ଧୀରେ ହ୍ରାସ ପାଉଛି। ଫଳରେ ବିଚ୍ଛିନ୍ନ ହୋଇଥିବା ଗ୍ରାମଗୁଡ଼ିକରେ ସ୍ୱାଭାବିକ ଜୀବନଯାତ୍ରା ଫେରିବା ଆଶା ବଢ଼ିଛି। ଜଳ ସମ୍ପଦ ବିଭାଗ ପରିସ୍ଥିତି ଉପରେ ନଜର ରଖିଥିବା ବେଳେ ଆଜି ରାତି ସୁଦ୍ଧା ବନ୍ୟା ପ୍ରଭାବିତ ଅଧିକାଂଶ ଅଞ୍ଚଳରେ ପାଣି ଆହୁରି କମିବ ବୋଲି ଆକଳନ କରିଛି।