ଶ୍ରୀକ୍ଷେତ୍ର ପୁରୀର ନଗର ପ୍ରଶାସନରେ ବଡ଼ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ୨୦୨୨ ବ୍ୟାଚ୍ର IAS ଅଧିକାରୀ ପ୍ରହ୍ଲାଦ ନାରାୟଣ ଶର୍ମାଙ୍କୁ ପୁରୀ ମହାନଗର ନିଗମ (PMC)ର କମିଶନର ଭାବେ ନିଯୁକ୍ତ କରାଯାଇଛି। ସାଧାରଣ ପ୍ରଶାସନ ଓ ଜନଅଭିଯୋଗ ବିଭାଗ ପକ୍ଷରୁ ଜାରି ନୂଆ ବିଜ୍ଞପ୍ତିରେ ଏହି ନିଯୁକ୍ତି ଘୋଷଣା କରାଯାଇଛି।
ଏହା ସହିତ କଟକ ଜିଲ୍ଲା ପରିଷଦର ମୁଖ୍ୟ ବିକାଶ ଅଧିକାରୀ-କମ୍-କାର୍ଯ୍ୟନିର୍ବାହୀ ଅଧିକାରୀ (CDO-cum-EO) ଭାବେ ଶର୍ମାଙ୍କ ପୂର୍ବ ନିଯୁକ୍ତିକୁ ସରକାର ବାତିଲ କରିଛନ୍ତି। ବର୍ତ୍ତମାନ ସେ ପୁରୀ ମହାନଗର ନିଗମର ସମ୍ପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିବେ।
ଚଳିତ ବର୍ଷ ପୁରୀ ପୌରପାଳିକାକୁ ମହାନଗର ନିଗମରେ ଉନ୍ନୀତ କରାଯାଇଥିଲା। ତୀର୍ଥଯାତ୍ରୀ, ପର୍ଯ୍ୟଟକ ଓ ସହରବାସୀଙ୍କୁ ଉନ୍ନତ ନାଗରିକ ସେବା ଯୋଗାଇବା ଲକ୍ଷ୍ୟରେ ଏହି ପରିବର୍ତ୍ତନ ହୋଇଥିଲା। ନୂଆ କମିଶନରଙ୍କ ନିଯୁକ୍ତି ସହ ରାସ୍ତା, ପରିମଳ, ଡ୍ରେନେଜ୍, ବେପାରୀ ନିୟନ୍ତ୍ରଣ ଓ ପର୍ଯ୍ୟଟନ ଭିତ୍ତିଭୂମି ବିକାଶ କାର୍ଯ୍ୟରେ ଅଧିକ ଗତି ଆସିବ ବୋଲି ଆଶା କରାଯାଉଛି।
ପ୍ରହ୍ଲାଦ ନାରାୟଣ ଶର୍ମା, ୨୦୨୨ ବ୍ୟାଚ୍ର IAS ଅଧିକାରୀ ଅରୁଗୁଳା ସ୍ନେହାଙ୍କ ସ୍ଥାନ ନେବେ। ସ୍ନେହା ପୁରୀ ଜିଲ୍ଲା ପରିଷଦର CDO-cum-EO ଦାୟିତ୍ୱ ସହ ଅତିରିକ୍ତ ଭାବେ PMCର ପ୍ରଥମ କମିଶନର ଭାବେ କାର୍ଯ୍ୟ କରୁଥିଲେ।
ସେହିପରି ଏହି ଆଦେଶରେ ୨୦୨୪ ବ୍ୟାଚ୍ର IAS ଅଧିକାରୀ ପବନ କୁମାରଙ୍କୁ ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଉପଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। ଫେଜ୍-II ଟ୍ରେନିଂରୁ ଫେରିବା ପରେ ତାଙ୍କୁ ରେଢ଼ାଖୋଲର ସବ୍-ଡିଭିଜନାଲ୍ ମାଜିଷ୍ଟ୍ରେଟ୍ (SDM) କ୍ଷମତା ମଧ୍ୟ ପ୍ରଦାନ କରାଯାଇଛି। ମାତ୍ର ତିନି ଦିନ ପୂର୍ବରୁ ଟିଟିଲାଗଡ଼ ଉପଜିଲ୍ଲାପାଳ ଭାବେ ତାଙ୍କ ନିଯୁକ୍ତି ହୋଇଥିବାବେଳେ ତାହାକୁ ସରକାର ବାତିଲ କରିଛନ୍ତି।