ମୟୁରଭଞ୍ଜ: ଭାଇ ବଞ୍ଚାଇବାକୁ ଯାଇ ଚାଲିଗଲା ଦିବ୍ୟାଙ୍ଗ ଭଉଣୀର ଜୀବନ । ନଦୀରେ ବୁଡ଼ି ଦୁଇ ଜଣ ଭାଇ ଭଉଣୀଙ୍କର ମୃତ୍ୟୁ ହୋଇଛି । ମାଆର କୋଳ ଶୂନ୍ୟ ହୋଇଯାଇଛି । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ମହ୍ଲାରପଦା ଗ୍ରାମରେ ଘଟିଛି ଏଭଳି ଦୁଃଖଦ ଓ ହୃଦୟ ବିଦାରକ ଘଟଣା । ଯାହା ସମଗ୍ର ଅଞ୍ଚଳବାସିନ୍ଦାଙ୍କୁ ସ୍ତବ୍ଧ କରିଦେଇଛି । ମୃତକ ହେଲେ ମହ୍ଲାରପଦା ଗ୍ରାମର ପରମେଶ୍ୱର ନାୟକ ଏବଂ ତାଙ୍କ ଦିବ୍ୟାଙ୍ଗ ଭଉଣୀ ନନ୍ଦିନୀ ନାୟକ ।
ଭାଇ ପାଣିରେ ବୁଡ଼ିଥିବା ଦେଖି ଉଦ୍ଧାର କରିବାକୁ ଯାଇଥିଲା ଦିବ୍ୟାଙ୍ଗ ଭଉଣୀ। ହେଲେ ଉଭୟ ଭାଇ ଭଉଣୀ ଙ୍କର ଭାସି ଯାଇ ପାଣିରେ ବୁଡି ହୋଇଛି ମୃତ୍ୟୁ। ଏଭଳି ଘଟଣା ଘଟିଛି ଖୁଣ୍ଟା ଥାନା ମହ୍ଲାରପଦା ଗ୍ରାମରେ। ଖବର ପାଇ ଖୁଣ୍ଟା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ଦୁଇ ମୃତଦେହ ଉଦ୍ଧାର କରିଛି। ମହ୍ଲାରପଦା ଗ୍ରାମର ପରମେଶ୍ୱର ନାୟକ ଏବଂ ତାଙ୍କ ଦିବ୍ୟାଙ୍ଗ ଭଉଣୀ ନନ୍ଦିନୀ ନାୟକ ଘରେ ରୁହନ୍ତି।
ପରମେଶ୍ୱର ଘର ପାଖରେ ନାଲୁହା ନଦୀର କେନାଲରେ ଅସାବଧାନତା ବଶତଃ ପଡି ଭାସି ଯାଇଥିଲେ । ଏହା ଦେଖି ଦିବ୍ୟାଙ୍ଗ ଭଉଣୀ ନନ୍ଦିନୀ ଭାଇକୁ ଉଦ୍ଧାର କରିବା ନିମନ୍ତେ କେନାଲ ଭିତରକୁ ଡେଇଁ ପଡ଼ିଥିଲେ । ମାତ୍ର ପାଣି ସୁଅରେ ଉଭୟ ଭାଇ ଭଉଣୀ ଭାସି ଯାଇଥିଲେ । ଯାହାକି ଘର ଠାରୁ ଏକ କିଲୋମିଟର ଦୂର ନାଲୁହା ନଦୀ ପାଣିରେ ଭାସି ଯାଇ କରକଚିଆ ପୋଲ ତଳେ ଅଟକିଥିଲେ । ଆଜି ସକାଳେ ସ୍ଥାନୀୟ ଲୋକେ ଭିନ୍ନ ଭିନ୍ନ ସ୍ଥାନରେ ନଦୀ ଭିତରେ ଦୁଇ ଗୋଟି ମୃତଦେହ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ମହ୍ଲାରପଦା ଗ୍ରାମ କେନାଲରୁ ଭାଇ ଏବଂ କରକଚିଆ ନାଲୁହା ନଦୀ ଭିତରୁ ଭଉଣୀର ମୃତଦେହକୁ ଉଦ୍ଧାର କରିଛି । ଖବର ପାଇ ଖୁଣ୍ଟା ପୋଲିସ ପହଞ୍ଚି ମୃତଦେହ ଦୁଇଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।