ଭୁବନେଶ୍ୱର: ଓଡ଼ିଶାରୁ ଉଦ୍ଧାର ହୋଇଥିବା ବିରଳ ପ୍ରଜାତିର ୫ଟି ଓରାଙ୍ଗଉଟାନ୍ ଶାବକ ମାମଲାରେ ତଦନ୍ତ ଯେତିକି ଆଗକୁ ବଢ଼ୁଛି, ସେତିକି ରହସ୍ୟ ଘନଉଛି। ଏହି ବନ୍ୟପ୍ରାଣୀ ଚୋରାଚାଲାଣ ଘଟଣାରେ ଏସଟିଏଫ୍ (STF) ପଶ୍ଚିମବଙ୍ଗର ଜଣେ ବାପା–ପୁଅଙ୍କ ସମେତ ମୋଟ ୩ ଜଣଙ୍କୁ ଉଠାଇଥିବା ଜଣାପଡ଼ିଛି।
ପ୍ରାପ୍ତ ସୂଚନା ଅନୁସାରେ, ଅଭିଯୁକ୍ତ ବାପା–ପୁଅ କୋଲକାତାରେ ଥିବାବେଳେ ଏସଟିଏଫ୍ର ଏକାଧିକ ଟିମ୍ ସେମାନଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା। ହାଓ୍ୱଡ଼ାସ୍ଥିତ ତାଙ୍କ ଘରେ ଚଢ଼ଉ କରାଯାଇଥିବାବେଳେ ବାଲେଶ୍ୱରର ଜଣେ ପ୍ରଭାବଶାଳୀ ବ୍ୟକ୍ତି ଘଟଣା ଦିନ କୌଣସି ହୋଟେଲରେ ନଥିବା ସୂଚନା ମିଳିଛି।
ଅନ୍ୟପକ୍ଷରେ, ନ୍ୟୁ-ଦୀଘାର ଏକ ହୋଟେଲରେ ଛାନଭିନ୍ କରିବା ବେଳେ ଏସଟିଏଫ୍ ହାତରେ ସିସିଟିଭି ଫୁଟେଜ୍ ଲାଗିଛି। ଫୁଟେଜ୍ ଅନୁଯାୟୀ, ଗୋଟିଏ କଳା ରଙ୍ଗର ଥାର୍ ଗାଡ଼ି ଏବଂ ତା' ପଛେ ପଛେ ଏକ ଧଳା କାର୍ ମୁଖ୍ୟ ରାସ୍ତା ଛାଡ଼ି ଗଳିକନ୍ଦିରେ ବୁଲୁଥିବା ଦେଖିବାକୁ ମିଳିଛି। ସୋମବାର ରାତିରେ ଥାର୍ ଗାଡ଼ିଟି ଭୋଗରାଇସ୍ଥିତ ଓରାଙ୍ଗଉଟାନ୍ ଉଦ୍ଧାରସ୍ଥଳକୁ ଯାଇ ମାତ୍ର ୧୨ ମିନିଟ୍ ଭିତରେ ଫେରିଥିବା ଏକ ସାର ବିକ୍ରୟ କେନ୍ଦ୍ରର ସିସିଟିଭିରେ କଏଦ୍ ହୋଇଛି।
ହୋଟେଲ ରେଜିଷ୍ଟ୍ରର୍ରୁ ଫାଷ୍ଟ-ଫାକ୍ଟ ଏବଂ ତଦନ୍ତ ଜାରି
ଦୀଘାରୁ ବଡ଼ପାହିର ଦୂରତା ପ୍ରାୟ ୨୨ କିମି ହୋଇଥିବାବେଳେ, ଥାର୍ ଗାଡ଼ିଟି ଅଧଘଣ୍ଟାଏ ଭିତରେ ଏହି ଦୂରତା ଅତିକ୍ରମ କରିଥିବା ସ୍ପଷ୍ଟ ହୋଇଛି। ଉକ୍ତ ହୋଟେଲରେ ୬ ଜଣ ଚାଲାଣକାରୀ ରହୁଥିବା ବେଳେ ମାତ୍ର ୩ ଜଣଙ୍କ ନାମ ରେଜିଷ୍ଟରରେ ଲିପିବଦ୍ଧ ଅଛି। ଅଟକ ୩ ଜଣଙ୍କ ଭିତରେ କଳା ରଙ୍ଗର ଥାର୍ ଗାଡ଼ିର ଡ୍ରାଇଭର ମଧ୍ୟ ସାମିଲ ଥିବା ଜଣାପଡ଼ିଛି।
ନନ୍ଦନକାନନରେ ସୁରକ୍ଷିତ ଅଛନ୍ତି ଶାବକ: ପିସିସିଏଫ୍
ବର୍ତ୍ତମାନ ଉଦ୍ଧାରସ୍ଥଳରେ ସ୍ଥାନୀୟ ବନ ବିଭାଗ ପକ୍ଷରୁ ୨୪ ଘଣ୍ଟିଆ ପହରା ଜାରି ରହିଛି। ସେହି ସ୍ଥାନକୁ ବ୍ୟାରିକେଡ୍ କରାଯାଇ 'ନୋ ଏଣ୍ଟ୍ରି' ବୋର୍ଡ ଲଗାଯାଇଛି। ଏନେଇ ପିସିସିଏଫ୍ (ବନ୍ୟପ୍ରାଣୀ) ପ୍ରେମ କୁମାର ଝା କହିଛନ୍ତି ଯେ ନନ୍ଦନକାନନରେ ଥିବା ଓରାଙ୍ଗଉଟାନ୍ ଶାବକଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି।
ସେମାନଙ୍କର ଡିଏନ୍ଏ ପରୀକ୍ଷା କରାଯିବ। ପ୍ରଥମେ ସେମାନେ ଏଠାକାର ପାଣିପାଗ ସହ ଖାପ ଖୁଆଇ ରହିବା ପରେ, ସେମାନଙ୍କୁ ଇଣ୍ଡୋନେସିଆ ପଠାଯିବ କି ନନ୍ଦନକାନନରେ ରଖାଯିବ, ସେନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।