ଭୁବନେଶ୍ୱର : ଆପଣ ବଜାରରୁ ଆଣି ଖାଉଥିବା କଦଳୀରେ କ'ଣ ସତରେ ରହିଛି ଭରପୁର ପ୍ରୋଟିନ ନା ରହିଛି ବିଷ? ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରିଛି। ଶୁକ୍ରବାର ରାଜଧାନୀର କଦଳୀ ଗୋଦାମରେ ଖାଦ୍ୟ ନିରାପତ୍ତା ବିଭାଗ ଚଢ଼ାଉ କରି ଯେଉଁ ତଥ୍ୟ ପାଇଛି ସେଥିରୁ ସ୍ପଷ୍ଟ ହେବାରେ ଲାଗିଛି କି କଦଳୀକୁ ଶୀଘ୍ର ପଚାଇବା ପାଇଁ ଗୋଦାମ ମାଲିକମାନେ ସେଥିରେ ସର୍ବାଧିକ ହାନୀକାରକ ବିଷ ପ୍ରୟୋଗ କରୁଛନ୍ତି । ଯାହା ସ୍ବାସ୍ଥ୍ଯ ପାଇଁ କ୍ଷତି କାରକ। ଛେନା, ପନିର ପରେ ବଜାରରେ ବିଷମିଶା କଦଳୀ ଖବର ପରେ ଖାଉଟି ଛାନିଆ।
ଆଜି ଫୁଡ୍ ସେଫ୍ଟି ବିଭାଗର ଅତର୍କିତ ଚଢ଼ଉ ବେଳେ ରଙ୍ଗ ଦିଆ ଓ ରାସାୟନିକ ପଦାର୍ଥ ମିଶା କଦଳୀ ମିଳିଛି। ବାଧ୍ୟ ହୋଇ ଏହି କଦଳୀକୁ ଅଳିଆ ଗାଡ଼ିରେ ବୁହା ଯାଇଛି। କଦଳୀକୁ ପଚାଇବା ପାଇଁ ବ୍ୟବହାର କରାଯାଏ ଇଥୋପନ୍। ଯାହାକୁ ସରକାରୀ ନିୟମ ଅନୁସାରେ ଅଳ୍ପରୁ ଅତି ଅଳ୍ପ ବ୍ୟବହାର କରାଯିବା କଥା। କିନ୍ତୁ ଗୋଦାମରେ ଗୋଟିଏ ଦିନରେ କଦଳୀ ପାଚିବା ପାଇଁ ମାତ୍ରାଧିକ କେମିକାଲ ବ୍ୟବହାର ହେଉଛି। ଫଳରେ କଦଳୀଗୁଡ଼ିକ ବିଷ ପାଲଟିଯାଉଛି ବୋଲି କହିଛନ୍ତି ବିଏମସିର ଫୁଡ୍ ସେଫ୍ଟି ଅଫିସର। ଏହି ମାତ୍ରାଧିକ ରସାୟନ ଯାହା କଦଳୀରେ ମିଶିବା ପରେ ପାଲଟୁଛି ମାରାତ୍ମକ ବିଷ। ଏହି ବିଷମିଶା କଦଳୀ ଖାଇ ଶରୀରର ନର୍ଭସ୍ ସିଷ୍ଟମ୍ ନଷ୍ଟ ହୋଇପାରେ।