ବାଲେଶ୍ୱର ଜିଲ୍ଲାରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଗୁରୁତର ଅବସ୍ଥାରେ ରୋଗୀଙ୍କୁ ଭଦ୍ରକ ମେଡିକାଲ ନେଉଥିବା ୧୦୮ ଆମ୍ବୁଲାନ୍ସ ଅଧା ରାସ୍ତାରେ ହଠାତ୍ ଖରାପ ହୋଇଯିବାରୁ ଚାଲିଗଲା ରୋଗୀଙ୍କ ଜୀବନ। ଏହି ଘଟଣାକୁ ନେଇ ପରିବାର ଓ ସମ୍ପର୍କୀୟଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବାବେଳେ ସେମାନେ ଆମ୍ବୁଲାନ୍ସକୁ ଅଟକ ରଖି ପ୍ରତିବାଦ କରିଛନ୍ତି।
ମୃତକ ହେଲେ ଖଇରା ବ୍ଲକ ତୋରାଣିପଦା ଗ୍ରାମର ଭାଗବତ ସାହୁ। ସୂଚନା ଅନୁସାରେ, ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଗୁରୁତର ଆହତ ହେବା ପରେ ତାଙ୍କୁ ପ୍ରଥମେ ଖଇରା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ଡାକ୍ତର ତାଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦେଇଥିଲେ।
ଏହାପରେ ୧୦୮ ଆମ୍ବୁଲାନ୍ସରେ ତାଙ୍କୁ ଭଦ୍ରକ ନିଆଯାଉଥିବାବେଳେ ଜଳଙ୍ଗ ଛକ ନିକଟରେ ହଠାତ୍ ଆମ୍ବୁଲାନ୍ସଟି ଖରାପ ହୋଇଯାଇଥିଲା। ଦୀର୍ଘ ସମୟ ଧରି ଗାଡ଼ି ଚାଲୁ ନହେବାରୁ ଗୁରୁତର ରୋଗୀଙ୍କ ଅବସ୍ଥା ଆହୁରି ଖରାପ ହୋଇଥିଲା ଏବଂ ଶେଷରେ ତାଙ୍କର ମୃତ୍ୟୁ ଘଟିଥିଲା।
ଘଟଣା ପରେ ପରିବାର ଲୋକେ ତୀବ୍ର କ୍ଷୋଭ ପ୍ରକାଶ କରି ଆମ୍ବୁଲାନ୍ସକୁ ଅଟକ ରଖିଥିଲେ। ଗୁରୁତର ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ କିପରି ଅଧା ରାସ୍ତାରେ ଖରାପ ହେଲା ଓ ତୁରନ୍ତ ବିକଳ୍ପ ଆମ୍ବୁଲାନ୍ସ ବ୍ୟବସ୍ଥା କାହିଁକି କରାଗଲା ନାହିଁ, ତାହାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି। ଘଟଣାର ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ଲୋକ।