ମୟୂରଭଞ୍ଜ: ବାରିପଦା ସହରରୁ ଲାଞ୍ଚ ଟଙ୍କା ନେଇ ଫେରାର ହେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଦୁଇ ଅଡିଟ୍ ଅଫିସର । ଅଟକ ଦୁଇ ଅଧିକାରୀ ହେଉଛନ୍ତି ଭୁବନେଶ୍ୱର ଏସଟି/ଏସସି ଉନ୍ନୟନ ବିଭାଗରେ କାର୍ଯ୍ୟରତ ପୁରୀ ଜିଲ୍ଲାର ପ୍ରଜ୍ଞା ପ୍ରକାଶ ପାତ୍ର ଏବଂ ଭୁବନେଶ୍ୱର ପ୍ରଶାନ୍ତ ପ୍ରଧାନ ।
ମିଳିଥିବା ସୂଚନା ଅନୁଯାୟୀ, ଗତ ଅଗଷ୍ଟ ୩୦ ତାରିଖରୁ ଉଭୟ ଅଧିକାରୀ ବାରିପଦାର ଏକ ହୋଟେଲରେ ରହି ଜିଲ୍ଲାର ବିଭିନ୍ନ ଆଦିବାସୀ ହଷ୍ଟେଲ ଓ ଆଶ୍ରମ ସ୍କୁଲ (ଡିଡବ୍ଲୁଓ ଅଧୀନସ୍ଥ ବିଦ୍ୟାଳୟ) ଗୁଡ଼ିକରେ ଅଡିଟ୍ କାର୍ଯ୍ୟ କରୁଥିଲେ । ଅଡିଟ୍ ବାବଦକୁ ସେମାନେ ବିଭିନ୍ନ ବିଦ୍ୟାଳୟରେ ଭୟଭୀତ କରାଇ ବିଦ୍ୟାଳୟ ପିଛା ପ୍ରାୟ ୫ ରୁ ୧୦ ହଜାର ଟଙ୍କା ଲେଖାଏଁ ଲାଞ୍ଚ ନେଇଥିଲେ । ବିପୁଳ ପରିମାଣର ଲାଞ୍ଚ ଟଙ୍କା ବେଆଇନ ଭାବେ ଆଦାୟ କରି ଏକତ୍ରିତ କରିଥିଲେ । ଏ ସମ୍ପର୍କରେ ପୂର୍ବରୁ ସୂଚନା ପାଇ ଭିଜିଲାନ୍ସ ଟିମ୍ ଦୀର୍ଘ ଦିନ ହେବ ସେମାନଙ୍କ ଗତିବିଧି ଉପରେ କଡ଼ା ନଜର ରଖି ଟ୍ରାକିଂ ଚଳାଇଥିଲା।
ଗତକାଲି ବିଳମ୍ବିତ ରାତିରେ ଉଭୟ ଅଫିସର ବ୍ୟାଗ୍ ଓ ଆଟାଚିରେ ନଗଦ ଟଙ୍କା ଭର୍ତ୍ତି କରି ଏକ ସରକାରୀ ବୋଲେରୋ ଗାଡ଼ି ଯୋଗେ ଖସି ପଳାଇବାକୁ ଯୋଜନା କରୁଥିବା ବେଳେ ବାଲେଶ୍ୱର ଭିଜିଲାନ୍ସ ଏସପିଙ୍କ ତତ୍ତ୍ୱାବଧାନରେ ବାରିପଦା ଓ ବାଲେଶ୍ୱର ଭିଜିଲାନ୍ସର ମିଳିତ ଟିମ୍ ସେମାନଙ୍କୁ ରାସ୍ତା ଉପରେ ପିଛା କରି କାବୁ କରିଥିଲା । ଯାଞ୍ଚ ସମୟରେ ଅଧିକାରୀ ଦ୍ୱୟଙ୍କ ନିକଟରୁ ବ୍ୟାଗ୍ ଭର୍ତ୍ତି ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଓ ବୋଲେରୋ ଗାଡ଼ି ଜବତ କରାଯାଇଛି । ପରେ ସେମାନେ ରହୁଥିବା ହୋଟେଲ ରୁମରେ ମଧ୍ୟ ଚଢ଼ାଉ କରାଯାଇ ଆହୁରି ନଗଦ ଅର୍ଥ ଠାବ ହୋଇଥିବା ବେଳେ ରାତି ତମାମ ଟଙ୍କା ଗଣତି ଜାରି ରହିଥିଲା। ଉଭୟଙ୍କ ନିକଟରୁ ମିଳିଥିବା ଟ୍ରଲି ବ୍ୟାଗରୁ ୫ ଲକ୍ଷ ୫୧ ହଜାର ୫୧୦ ନଗଟ ଟଙ୍କା ଜବତ କରାଯାଇଛି । ଯାହାକି ୫୨ ଟି ଲଫାପା ଏବଂ ୨୦ ଟି ବିଡ଼ାରେ ବନ୍ଧା ହୋଇ ରହିଥିଲା । ସେହିପରି ହୋଟେଲ ରୁମ ଯାଞ୍ଚ ବେଳେ ୮ ଲକ୍ଷ ୮୬ ହଜାର ୮୩୦ ଟଙ୍କା ଜବତ କରାଯାଇଛି । ମୋଟ ୧୪ ଲକ୍ଷ ୩୮ ହଜାର ୩୪୦ ଟଙ୍କା ଜବତ କରାଯାଇଛି । ମିଳିଥିବା ଟଙ୍କାର ସନ୍ତୋଷ ଜନକ ଉତ୍ତର ନ ଦେଇପାରିବାରୁ ଭିଜିଲାନ୍ସ ଉଭୟଙ୍କୁ ଅଟକ ରଖିଛି ।
ଏହା ପରେ ଭୁବନେଶ୍ୱରସ୍ଥିତ କାର୍ୟ୍ୟାଳୟ ସମେତ ପୁରୀ ଓ ଭୁବନେଶ୍ୱର ସ୍ଥିତ ବାସଭବନରେ ମଧ୍ୟ ଭିଜିଲାନ୍ସ ଟିମ୍ ଏକକାଳୀନ ଚଢ଼ାଉ ଜାରି ରଖିଛି। ଅଟକ ଉଭୟ ଅଭିଯୁକ୍ତଙ୍କୁ ଭୁବନେଶ୍ୱର କାର୍ୟ୍ୟାଳୟକୁ ନିଆଯାଇଛି ଭିଜିଲାନ୍ସ ଏସପି ଅରୁଣ କୁମାର ନାୟକ ସୂଚନା ଦେଇଛନ୍ତି। ଆଜି ପୂର୍ବାହ୍ନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜବତ ଟଙ୍କାର ସଠିକ୍ ପରିମାଣ ଓ ତଦନ୍ତ ସମ୍ପର୍କିତ ବିସ୍ତୃତ ତଥ୍ୟ ଭିଜିଲାନ୍ସ ପକ୍ଷରୁ ସାର୍ବଜନୀନ କରାଯିବ ।