କଳାହାଣ୍ଡି: ଲଗାଣ ବର୍ଷା ପାଇଁ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର କେନ୍ଦୁପାଟି ଗାଁରେ ହେକ୍ଟର ହେକ୍ଟର ଚାଷ ଜମି ବର୍ଷା ପାଣିରେ ବୁଡ଼ି ରହିଛି । ଯାହାକୁ ନେଇ ଏବେ ଚିନ୍ତାରେ ପଡ଼ିଛି ଚାଷୀ ।
ପ୍ରାୟ ୨୦୦ ହେକ୍ଟରରୁ ଅଧିକ ଚାଷଜମି ଜଳମଗ୍ନ ଅବସ୍ଥାରେ ରହିଛି । ଗତ ବର୍ଷା ଋତୁରେ ମଧ୍ୟ ପ୍ରାୟ ୧୫ ଦିନ ଧରି କ୍ଷେତରେ ପାଣି ଜମି ରହିଥିଲା। ଫଳରେ ଅନେକ ଚାଷୀଙ୍କ ଧାନଚାଷ ନଷ୍ଟ ହୋଇଥିଲା। କ୍ଷତି ସତ୍ତ୍ୱେ ଚାଷୀମାନେ ହାର ମାନିନଥିଲେ। ସେମାନେ ପୁଣି ଧାନ ରୋପଣ କରିଥିଲେ। ହେଲେ ଏବେ ପୁଣି ଦୁଇ ଦିନର ଲଗାଣ ବର୍ଷା ସେମାନଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ଚାଷଜମିରେ ୩ ଫୁଟରୁ ଅଧିକ ପାଣି ଜମି ରହିଥିବାରୁ ଧାନ ଫସଲ ନଷ୍ଟ ହେବାର ଆଶଙ୍କା ବଢ଼ିଛି। ଧାରକରଜ କରି ଚାଷ କରିଥିବା ଚାଷୀମାନେ ଏବେ ଋଣ କିପରି ସୁଝିରେ ସେ ନେଇ ଚିନ୍ତାରେ ପଡ଼ିଛନ୍ତି ।
ଚାଷୀମାନଙ୍କ କହିବା ଅନୁସାରେ, କେନ୍ଦୁପାଟି ଅଞ୍ଚଳ ତିନୋଟି ନଦୀର ମୁହାଣ ନିକଟରେ ଅବସ୍ଥିତ ଥିବାରୁ ପ୍ରତିବର୍ଷ ଏଠାରେ ବନ୍ୟା ଓ ଜଳବନ୍ଦୀ ସମସ୍ୟା ଦେଖାଦିଏ। ଫସଲ ହାନି ପାଇଁ ଏକର ପିଛା ମିଳୁଥିବା କ୍ଷତିପୂରଣ ରାଶି ସେମାନଙ୍କ ବାସ୍ତବ କ୍ଷତି ଭରଣା ପାଇଁ ପର୍ଯ୍ୟାପ୍ତ ନୁହେଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ବର୍ଷ ବର୍ଷ ଧରି ଜଳ ନିଷ୍କାସନର ସ୍ଥାୟୀ ବ୍ୟବସ୍ଥା ପାଇଁ ଦାବି କରାଯାଉଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇନଥିବା ଅଭିଯୋଗ ହୋଇଛି।