ଗଞ୍ଜାମ : ଭିଜିଲାନ୍ସ ଜାଲରେ ପଡିଲେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନାର ଏଏସଆଇ (ASI) ସୁଜିତ ପାଣିଗ୍ରାହୀ। ଏକ ମାମଲାରେ ସହାୟତା କରିବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ତାଙ୍କୁ ରଙ୍ଗେହାତ କାବୁ କରିଛି।
ଏଏସଆଇ ସୁଜିତ ପାଣିଗ୍ରାହୀ ଖଲ୍ଲିକୋଟ ଥାନାରେ ରୁଜୁ ହୋଇଥିବା ଏକ ମାମଲାର ତଦନ୍ତକାରୀ ଅଧିକାରୀ ଥିଲେ । ଏହି ମାମଲାରେ ଅଭିଯୋଗକାରୀଙ୍କୁ ସାହାଯ୍ୟ କରିବା ବାବଦକୁ ସେ ୧୫,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ଅଭିଯୋଗକାରୀ ଜଣକ ଲାଞ୍ଚ ଦେବାକୁ ଚାହୁଁ ନଥିବାରୁ ଏନେଇ ଓଡ଼ିଶା ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଭିଜିଲାନ୍ସ ଟିମ୍ ଏକ ପୂର୍ବ ଯୋଜନା ମୂତାବକ ଶୁକ୍ରବାର ଦିନ ଖଲ୍ଲିକୋଟ ଥାନା ପରିସର ଭିତରେ ହିଁ ଅଭିଯୋଗକାରୀଙ୍କ ଠାରୁ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ମାଡ଼ି ବସିଥିଲେ ଏବଂ ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ଅର୍ଥ ଜବତ କରିଛନ୍ତି।
ଏହି ଟ୍ରାପ୍ ଅପରେସନ ପରେ ଏଏସଆଇ ସୁଜିତ ପାଣିଗ୍ରାହୀଙ୍କ ସହ ଜଡ଼ିତ ଦୁଇଟି ସ୍ଥାନରେ ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିବା ନେଇ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ଉ ଜାରି ରହିଛି। ଏହି ମାମଲାରେ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ କେସ୍ ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଛି ।