କେନ୍ଦ୍ରାପଡା : ଭିତରକନିକାର ବଢିଲେ ଦେଶୀୟ ପକ୍ଷୀ। ଚଳିତ ବର୍ଷ ଅଛନ୍ତି ୧୦ ପ୍ରଜାତିର ୧ ଲକ୍ଷ ୩୨ ହଜାର ୨୭୯ଟି ପକ୍ଷୀ। ଗତବର୍ଷ ତୁଳନାରେ ୧୪୮୩ଟି ଅଧିକ ପକ୍ଷୀ ଅଛନ୍ତି। ଏହି ୩ ଦିନିଆ ବା ୫ ଦିନିଆ ମୌସୁମୀ ପକ୍ଷୀ ଗଣନା ସେପ୍ଟେମ୍ବର ୩ ରୁ ଆରମ୍ଭ ହୋଇଥିଲା।
କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରତିବର୍ଷ ବର୍ଷାଋତୁ ବା ମୌସୁମୀ ସମୟରେ ପ୍ରଜନନ ପାଇଁ ଆସୁଥିବା ଦେଶୀୟ ବାଆଁ କିମ୍ବା ସ୍ଥାନୀୟ ପକ୍ଷୀଙ୍କ ବାର୍ଷିକ ଗଣନା କରାଯାଇଥାଏ। ଭିତରକନିକାର ବାଗାଗହନ, ମଠଆଡ଼ିଆ, ଦୁର୍ଗାପ୍ରସାଦ ଦିଆ ଏବଂ ଲକ୍ଷ୍ମୀପ୍ରସାଦ ଦିଆ ଭଳି ପ୍ରମୁଖ ବସତି ଅଞ୍ଚଳରେ ଏହି ସର୍ଭେ କରାଯାଏ। ଏହି ଗଣନା କାର୍ଯ୍ୟରେ ବନବିଭାଗର ୪ ଟି ଟିମ୍ ନିୟୋଜିତ କରାଯାଇଥିଲା । ପ୍ରତ୍ୟେକ ଟିମ୍ରେ ୪ରୁ ୫ ଜଣ ବନ କର୍ମଚାରୀ ରହିଥିଲେ। ପକ୍ଷୀ ବିଶେଷଜ୍ଞଙ୍କ ନେତୃତ୍ୱରେ ଏହି ଗଣନା କାର୍ଯ୍ୟ କରାଯାଉଛି। ମୁଖ୍ୟତଃ ଗେଣ୍ଡାଳିଆ, ଅଞ୍ଜନା, ଖଇରା, ରାଣିବଗ, କପାରଖାଇ ପ୍ରଭୁତି ୧୦ ପ୍ରକାର ପ୍ରଜାତିର ପକ୍ଷୀ ଗଣନା ହୋଇଥିଲା। ଏନେଇ ବନ କର୍ମଚାରୀଙ୍କୁ ତାଲିମ ଦିଆଯାଇଥିଲା ସକାଳ ୬ଟାରୁ ଅପରାହ୍ଣ ୧୨ଟା ପର୍ଯ୍ୟନ୍ତ ଏହି ଗଣନା କାର୍ଯ୍ୟ ହୋଇଥିଲା।ଏହି ଗଣନା ଦ୍ୱାରା ପକ୍ଷୀଙ୍କ ସଂଖ୍ୟା, ସେମାନଙ୍କ ବଂଶବୃଦ୍ଧି ଏବଂ ଅନୁକୂଳ ପରିବେଶ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରାଯାଇଥାଏ।