ଭୁବନେଶ୍ୱର : ଜୀବନ ପ୍ରତି ବିପଦ ତଥା ଆକ୍ରମଣ ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ସୁରକ୍ଷା ମାଗିଲେ ତେଲକୋଇ ବିଜେପି ବିଧାୟକ ଡା. ଫକୀର ମୋହନ ନାଏକ ।ଗତ କିଛିଦିନ ଧରି ସୋସିଆଲ ମିଡିଆରେ ତାଙ୍କୁ ଧମକ ମିଳୁଥିବା ସେ ଅଭିଯୋଗ କରିଛନ୍ତି । ତେଲକୋଇ ନିର୍ବାଚନୀମଣ୍ଡଳିରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଥିବା ହୋଇଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି । ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଜରୁରୀ ନିବେଦନ କରି ତୁରନ୍ତ ସୁରକ୍ଷା ବ୍ୟବସ୍ଥା ବଢ଼ାଇବା ସହ ଘଟଣାଗୁଡ଼ିକର ନିରପେକ୍ଷ ଓ ଗଭୀର ତଦନ୍ତ ଦାବି କରିଛନ୍ତି ।
ତେଲକୋଇ ବିଧାୟକଙ୍କ ଅଭିଯୋଗ ଅନୁଯାୟୀ, ଗତ କିଛିଦିନ ଧରି ସୋସିଆଲ ମିଡିଆରେ ତାଙ୍କୁ ଏବଂ ତାଙ୍କ ସହଯୋଗୀମାନଙ୍କୁ ଟାର୍ଗେଟ୍ କରି ଗ୍ରାଫିକ୍ସ ମାଧ୍ୟମରେ ଧମକପୂର୍ଣ୍ଣ ପୋଷ୍ଟ ପ୍ରଚାର କରାଯାଉଛି । ଏହା ଯୋଜନାବଦ୍ଧ ଆକ୍ରମଣର ସଙ୍କେତ ଦେଉଛି । ଏହି ଧମକ ପରବର୍ତ୍ତୀ ସମୟରେ ହିଂସାତ୍ମକ ଘଟଣାର ରୂପ ନେଇଥିବା ବିଧାୟକ ଚିଠିରେ ଦର୍ଶାଇଛନ୍ତି । ଅଗଷ୍ଟ ୨୨ ତାରିଖରେ ମଣ୍ଡଳ ସଭାପତି ଶୁକୁରା ମୁଣ୍ଡାଙ୍କ ଉପସ୍ଥିତିରେ ହୋଇଥିବା ଏକ ଦଳୀୟ ବୈଠକ ସମୟରେ ବିଧାୟକଙ୍କ ଦଳୀୟ କର୍ମୀ ରଶ୍ମିକାନ୍ତ ବେହେରାଙ୍କୁ ମାଡ଼ ମରାଯାଇଥିଲା । ଏନେଇ ବାଂଶପାଳର ନୟାକୋଟ ଥାନାରେ ଏତଲା ମଧ୍ୟ ଦାଏର ହୋଇଥିବା ସେ ଦର୍ଶାଇଛନ୍ତି । ଏହାର ପରଦିନ ପୁଲହାର ପଞ୍ଚାୟତରେ ଆଉ ଏକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି ।
ତେବେ ବିଧାନସଭା ସଚିବାଳୟ ପକ୍ଷରୁ ବିଧାୟକଙ୍କ ଏହି ଅଭିଯୋଗକୁ ଗୁରୁତର ଭାବେ ନିଆଯାଇଛି । ପ୍ରାଥମିକତା ଭିତ୍ତିରେ ଯାଞ୍ଚ କରି ଶୀଘ୍ର ଆବଶ୍ୟକ ପଦକ୍ଷେପ ନେବାକୁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଅବଗତ କରାଯାଇଛି । ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବିଧାୟକଙ୍କୁ ଅବଗତ କରିବାକୁ ମଧ୍ୟ ସଚିବାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି ।