ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାକୁ ଆହୁରି ସହଜ ଓ ସୁରକ୍ଷିତ କରିବା ଦିଗରେ ବଡ଼ ପଦକ୍ଷେପ ନିଆଯାଇଛି। ଆଉ ୭ରୁ ୮ ଦିନ ମଧ୍ୟରେ ପାଇଲଟ୍ ପ୍ରକଳ୍ପ ଭାବେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଏଥିପାଇଁ ଆଇଆଇଟି ଭୁବନେଶ୍ୱର ପ୍ରସ୍ତାବିତ ଫୋଲ୍ଡିଂ ରାମ୍ପ ମଡେଲର ସମୀକ୍ଷା ମଧ୍ୟ କରାଯାଇଛି।
ଏହି ପାଇଲଟ୍ ରାମ୍ପର ବିଶେଷତା ହେଉଛି, ଏହାକୁ ମାତ୍ର ୫ ମିନିଟ୍ରେ ଖୋଲାଯାଇ ପୁଣି ବନ୍ଦ କରାଯାଇପାରିବ। ପ୍ରଥମ ରାମ୍ପ ନିର୍ମାଣ ଶେଷ ହେବା ପରେ ଏହାକୁ ଶ୍ରୀମନ୍ଦିର ଛତିଶା ନିଯୋଗ ଓ ପରିଚାଳନା କମିଟିର ପ୍ରତିନିଧିଙ୍କୁ ଦେଖାଯିବ। ସେମାନଙ୍କ ମତାମତ ଆଧାରରେ ଆବଶ୍ୟକ ସଂଶୋଧନ କରାଯିବ ଏବଂ ଅନୁମତି ମିଳିଲେ ଏହାକୁ କାର୍ଯ୍ୟକ୍ଷମ କରାଯିବ।
ଆଇନମନ୍ତ୍ରୀ କହିଛନ୍ତି, ଖୁବଶୀଘ୍ର ୬ ଥାକିଆ ରାମ୍ପ ବ୍ୟବସ୍ଥା କରାଯିବ ଏବଂ ସମ୍ପୂର୍ଣ୍ଣ ମଡେଲ୍ ପ୍ରସ୍ତୁତ ହେବାକୁ ପ୍ରାୟ ୩ରୁ ୪ ମାସ ସମୟ ଲାଗିବ। ଏହି ବ୍ୟବସ୍ଥା ଲାଗୁ ହେଲେ ଭିଡ଼ ନିୟନ୍ତ୍ରଣ ସହ ଭକ୍ତଙ୍କ ଧାଡ଼ି ଦର୍ଶନ ଅଧିକ ସୁବ୍ୟବସ୍ଥିତ ହେବ।
ସେହିପରି, ପୁରୀ ସହରବାସୀଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଟେକ୍ନୋଲୋଜି ଆଧାରିତ ଦର୍ଶନ ବ୍ୟବସ୍ଥା ପ୍ରସ୍ତୁତ ହୋଇଛି। ଉତ୍ତରଦ୍ୱାର ଦେଇ ସହରବାସୀଙ୍କ ପ୍ରବେଶ ପାଇଁ ବାୟୋମେଟ୍ରିକ୍ ପରିଚୟ ବ୍ୟବସ୍ଥା କରାଯିବ, ଯାହା ଦ୍ୱାରା ଯୋଗ୍ୟ ବ୍ୟକ୍ତିମାନେ ଅଧିକ ସହଜରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଶ୍ରୀମନ୍ଦିରରେ ଭକ୍ତ ସୁବିଧା ଓ ଆଧୁନିକ ପରିଚାଳନାକୁ ନେଇ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଦେଖାଯାଉଛି।