ଭୁବନେଶ୍ୱର : ବିଭିନ୍ନ ଦାବି ପୂରଣ ନେଇ ବ୍ୟାଙ୍କ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ (UFBU) ଆହ୍ୱାନ କ୍ରମେ ସାରା ଦେଶରେ ଧର୍ମଘଟ ଚାଲିଛି । ବ୍ୟାଙ୍କ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇଥିବାରୁ ଗ୍ରାହକ ସେବା ପ୍ରଭାବିତ ହୋଇଛି । ଏହାର ପ୍ରଭାବ ବଲାଙ୍ଗୀର ସହରରେ ମଧ୍ୟ ଦେଖିବାକୁ ମିଳିଛି । ଜିଲ୍ଲାରେ ଥିବା ବ୍ଯାଙ୍କ ଗୁଡ଼ିକ ବନ୍ଦ ରହିଥିବା ବେଳେ କର୍ମଚାରୀମାନେ ସେମାନଙ୍କ ଦାବି ନେଇ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି ।
ତେବେ ପଶ୍ଚିମ ଓଡିଶା ମହାନ ଗଣପର୍ବ ନୁଆଁଖାଇ ପାଇଁ ଏବେ ଲୋକଙ୍କ ଉପରେ ପ୍ରଭାବ ପକାଇଛି ବ୍ୟାଙ୍କ ବନ୍ଦ। ଏସବିଆଇ ଠୁ ଆରମ୍ଭ କରି ସବୁ ବ୍ୟାଙ୍କ ଗୁଡିକ ୫ ଦିନ ଠପ ହୋଇ ଯିବ ଗୋଟିଏ ଦିନ ଧର୍ମଘଟ ଓ ୪ ଦିନ ଛୁଟି ତାହା ପୁଣି ଏଭଳି ସମୟରେ ଲୋକଙ୍କୁ ନାକେ ଦମ କରିଛି। ଏନେଇ ଚିନ୍ତାରେ ସମଗ୍ର ପଶ୍ଚିମ ଓଡିଶା ବାସୀ। ସେପଟେ ଏଟିଏମ ରେ ଟଙ୍କା ରହିବ ନା ନାହିଁ। କେମିତି ନୁଆଁଖାଇ ପାଇଁ ହାଟ ବଜାର କରିବେ। କିଣାକିଣି କେମିତି ହେବ। ଦୋକାନୀ ଟଙ୍କା କାରବାର କରିପାରିବେ ନା ନାହିଁ ଗୁଡାଏ ପ୍ରଶ୍ନରେ ଛନ୍ଦି ହୋଇପଡିଛନ୍ତି।
ପାଞ୍ଚ ଦିନିଆ ବ୍ୟାଙ୍କିଂ ବ୍ୟବସ୍ଥା ଲାଗୁ କରିବା ଦାବିରେ ତେଜିଛି ବ୍ୟାଙ୍କ କର୍ମଚାରୀଙ୍କ ଆନ୍ଦୋଳନ । ଏହାସହ ସରକାରଙ୍କ ଏକପାଖିଆ ଓ ବୈଷମ୍ୟମୂଳକ PLI ଯୋଜନା ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ବ୍ୟାଙ୍କ କର୍ମଚାରୀ । ୟୁନିଅନ୍ ସହ ଦ୍ୱିପାକ୍ଷିକ ଆଲୋଚନା କରି PLI ଯୋଜନାରେ ଆବଶ୍ୟକ ପରିବର୍ତ୍ତନ ସହ ବିଭିନ୍ନ ବକେୟା ଓ ଅବଶିଷ୍ଟ ସମସ୍ୟାର ସମାଧାନ ମଧ୍ୟ ଦାବି କରାଯାଇଛି । ଏହି ଦାବି ଗୁଡ଼ିକୁ ନେଇ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ ପକ୍ଷରୁ ପର୍ଯ୍ୟାୟକ୍ରମେ ଧର୍ମଘଟ ଡାକରା ଦିଆଯାଇଛି ।