ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଅପରେସନ୍ସ ମୁଖ୍ୟାଳୟରେ ଓଡ଼ିଶା ସ୍ପେଶାଲ୍ ଷ୍ଟ୍ରାଇକିଂ ଫୋର୍ସ (OSSF) କର୍ମଚାରୀଙ୍କୁ 'କର୍ପୋରେଟ୍ ସାଲାରି ପ୍ୟାକେଜ୍' ଯୋଗାଇଦେବା ପାଇଁ ଓଡ଼ିଶା ପୋଲିସ୍ର ଅପରେସନ୍ସ ବିଭାଗ ଏବଂ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ମଧ୍ୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି । ଆଣ୍ଟି-ନକ୍ସଲ୍ ଅପରେସନ୍ସର ଡିଜି ସଞ୍ଜୀବ ପଣ୍ଡାଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ୱାକ୍ଷିରତ ହୋଇଛି । ଓଡ଼ିଶା ପୋଲିସ୍ ପକ୍ଷରୁ ଆଇଜି ଅପରେସନ୍ସ ଡକ୍ଟର ଦୀପକ କୁମାର ଏବଂ ଏସବିଆଇ ବ୍ୟାଙ୍କ ଡିଜିଏମ୍ ଆଶିଷ କୁମାର ମିଶ୍ର ଏହି ଚୁକ୍ତିନାମାରେ ସ୍ୱାକ୍ଷର କରିଛନ୍ତି ।
ଓଏସ୍ଏସ୍ଏଫ୍ ର ଚାରୋଟି ବାଟାଲିୟନରେ ପ୍ରାୟ ୪୦୦୦ ପୂର୍ବତନ ସେନା କର୍ମଚାରୀ କାର୍ଯ୍ୟରତ ଅଛନ୍ତି । ସେମାନେ ମୁଖ୍ୟତଃ ନକ୍ସଲ ବିରୋଧୀ ଅଭିଯାନ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ନିୟୋଜିତ ଅଛନ୍ତି। ଏହି ଦରମା ପ୍ୟାକେଜ୍ ଅନୁଯାୟୀ କର୍ମଚାରୀମାନେ ୫୦ ଲକ୍ଷ ଟଙ୍କାର ଦୁର୍ଘଟଣାଜନିତ ବୀମା ସୁରକ୍ଷା, ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏୟାର ଆମ୍ବୁଲାନ୍ସ ଖର୍ଚ୍ଚ, ପିଲାଙ୍କ ଉଚ୍ଚଶିକ୍ଷା ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା, ପ୍ଲାଷ୍ଟିକ୍ ସର୍ଜରୀ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ, ପରିବାର ସଦସ୍ୟଙ୍କ ପାଇଁ 'ରିସ୍ତେ' (Rishtey) ଆକାଉଣ୍ଟ ସୁବିଧା, ବ୍ୟକ୍ତିଗତ ଋଣ ଏବଂ ବାର୍ଷିକ ୧୯୯୯ ଟଙ୍କା ଦେୟ ବିନିମୟରେ ୫ ଲକ୍ଷ ଟଙ୍କାର ଇଚ୍ଛାଧୀନ ସ୍ୱାସ୍ଥ୍ୟ ବୀମା ଭଳି ସୁବିଧା ପାରିପାଇବେ।
ଏହି କାର୍ଯ୍ୟକ୍ରମରେ ଏସଓଜିର କମାଣ୍ଡାଣ୍ଟ ଲୋଚନ ପସାୟତ, OSSFର ଦାୟିତ୍ୱରେ ଥିବା କମାଣ୍ଡାଣ୍ଟ ଶ୍ରୀ ରାମଚନ୍ଦ୍ର ପ୍ରଧାନ, OSSF ଏବଂ SBIର ଅଧିକାରୀମାନେ ଉପସ୍ଥିତ ଥିଲେ।